ପୂର୍ବ ନିର୍ଦ୍ଧାରିତ ସମୟରେ ଖୋଲିଲା ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର

0

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ କୁ ନିଆଯିବ।

ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଛନ୍ତି।

ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ସବୁ ଭିତରକୁ ଯାଇଛି। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ, ଆଜି ଭିତର ଭଣ୍ଡାରର ପାଳି।

ଭିତର ରତ୍ନ ଭଣ୍ଡାର ଖୋଲାଯାଇ ସାରିଥିବା ବେଳେ ପୁରୀ ଗଜପତି ମହାରାଜା ବି ଉପସ୍ଥିତ ଅଛନ୍ତି। ସେ ପୁରୀରେ ପହଞ୍ଚିବା ପରେ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଏହାପରେ ସେ ଭିତର ରତ୍ନ ଭଣ୍ଡାରକୁ ଯାଇଥିବା ଜଣାଯାଇଛି।

ଗତ ୧୪ ତାରିଖରେ ଯେଉଁ ଭଳି ଭାବେ SOP ମୁତାବକ ରତ୍ନ ଭଣ୍ଡାର ଖୋଲା ଯାଇଥିଲା ଆଜି ସେହିପରି ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲିଥିଲେ। ଉକ୍ତ ଦିନ ବାହାର ରତ୍ନ ଭଣ୍ଡାରରେ ଥିବା ସବୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇଥିବା ବେଳେ ଆଜି ଭିତର ଭଣ୍ଡାରରେ ରାଜରାଜୁଡ଼ା ଅମଳର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁକୁ ଖଟସେଜ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ। ଏହି ସମୟରେ କୌଣସି କମିଟି ସଦସ୍ୟ ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଭିତରକୁ ପ୍ରବେଶ କରି ନାହାନ୍ତି। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଏହା ପରେ ଯାଇ ରତ୍ନଭଣ୍ଡାର ମରାମତି ଆରମ୍ଭ କରିବ ASI।

ଆଜି ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶୁଭ ସମୟ ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ମଧ୍ୟରେ ସ୍ଥିର କରାଯାଇଥିଲା। ଏହାପୂର୍ବରୁ ପୂର୍ବାହ୍ନ ୯ଟା ବେଳେ କମିଟି ସଦସ୍ୟମାନେ ରଥ ଉପରେ ଥିବା ମହାପ୍ରଭୁଙ୍କୁ ପ୍ରଣିପାତ କରି ମନ୍ଦିର ଭିତରକୁ ପଶିଥିଲେ । ଏହାପରେ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ସମୟରେ ପ୍ରଥମେ ବାହାର ରତ୍ନ ଭଣ୍ଡାର ଓ ପରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିବା ଜଣାଯାଇଛି। ଖଟଶେଯରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍କୁ ସବୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆଜି ସଂପୂର୍ଣ୍ଣ କରିବାକୁ ଆଶା ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି।

କିନ୍ତୁ ଆଜି ସ୍ଥାନାନ୍ତର ପ୍ରକ୍ରିୟା ବେଳେ ASI ଟିମ୍ ରତ୍ନ ଭଣ୍ଡାରକୁ ଯାଇ ଭିତରର ସ୍ଥିତି ସମୀକ୍ଷା କରିବାକୁ ସୁଯୋଗ ପାଇ ପାରନ୍ତି। ଭିତର ରତ୍ନ ଭଣ୍ଡାରର ସ୍ଥିତି କ’ଣ ତାହା ସେମାନେ ପରଖି ପାରନ୍ତି ବୋଲି ଜଣାଯାଇଛି। ତେବେ ସମସ୍ତ ଅଳଙ୍କାର ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ASIକୁ ହସ୍ତାନ୍ତର କରାଯିବନି ବୋଲି ଜଣାଯାଇଛି । ପ୍ରତିଦିନ କାମ ସରିବା ପରେ ତାଲାକୁ ଜଉମୁଦ ଦିଆଯିବ ଓ ଚାବିକୁ ଟ୍ରେଜେରୀରେ ରଖାଯିବ।

Leave a comment