ସାମ୍ନାକୁ ଆସିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାର କାରଣ, ଏଭଳି ତ୍ରୁଟି କାରଣରୁ ଘଟିଗଲା ଏଭଳି ହୃଦୟବିଦାରକ ଘଟଣା

0

ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ନେଇ ହୋଇଛି ବଡ଼ ଖୁଲାସା । ସିଗ୍‌ନାଲ୍‌ ତ୍ରୁଟିରୁ ହିଁ ଏତେବଡ଼ ଦୁର୍ଘଟଣା ଘଟିଗଲା ବୋଲି ଉଚ୍ଚସ୍ତରୀୟ ତଦନ୍ତରୁ ଜଣାପଡ଼ିଛି । ତଦନ୍ତରେ ସିଗ୍‌ନାଲିଂ ଏବଂ ଦୂରସଞ୍ଚାର ବିଭାଗ (ଏସ୍‌ଆଣ୍ଡ୍‌ଟି)ରେ ଅନେକ ସ୍ତରରେ ତ୍ରୁଟିବିଚ୍ୟୁତି ରହିଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆହୁରି କୁହାଯାଇଛି ଯେ ଯଦି ପୂର୍ବର ଚେତାବନୀ ସଂକେତଗୁଡ଼ିକ ବାବଦରେ ସୂଚନା ଦିଆଯାଇଥାନ୍ତା, ତା’ହେଲେ ଏତେବଡ଼ ସଂକଟକୁ ଟାଳି ଦିଆଯାଇ ପାରିଥାନ୍ତା ।

ରେଳ ସୁରକ୍ଷା କମିଶନର (ସିଆର୍‌ଏସ୍‌)ଙ୍କ ଦ୍ୱାରା ରେଳ ବୋର୍ଡ ନିକଟରେ ଏହି ରିପୋର୍ଟ ଦାଖଲ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ସିଗ୍‌ନାଲିଂ କାର୍ଯ୍ୟରେ ଅଭାବବୋଧ ସତ୍ତେ୍ୱ ଏସ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ଦ୍ୱାରା ପ୍ରତିକାରାତ୍ମକ ପଦକ୍ଷେପ ନିଆଯାଇ ପାରିଥାନ୍ତା । ବାହାନଗା ବଜାର ଷ୍ଟେସନ ପ୍ରବନ୍ଧକଙ୍କ ଦ୍ୱାରା ଦୁଇଟି ସମାନାନ୍ତର ଟ୍ରାକ୍‌କୁ ଯୋଡ଼ୁଥିବା ସ୍ୱିଚ୍‌ର ବାରମ୍ବାର ଅସ୍ୱାଭାବିକ ବ୍ୟବହାର ବାବଦରେ ସୂଚନା ଦିଆଯାଇଥିଲେ, ହୁଏତ ଏସ୍‌ଆଣ୍ଡ୍‌ଟି କର୍ମଚାରୀମାନେ ଦୁର୍ଘଟଣାକୁ ଟାଳିପାରିଥାନ୍ତେ।

ଏତଦ୍‌ବ୍ୟତୀତ ରିପୋର୍ଟରେ ଆହୁରି କୁହାଯାଇଛି ଯେ ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ୍‌ ଲିଫ୍ଟିଙ୍ଗ୍‌ ବ୍ୟାରିୟର୍‌କୁ ବଦଳାଇବା କାର୍ଯ୍ୟ ପାଇଁ ଷ୍ଟେସନ ବିଶିଷ୍ଟ ଅନୁମୋଦିତ ସର୍କିଟ (ଷ୍ଟେସନ୍‌ ସ୍ପେସିଫିକ୍‌ ଆପ୍ରୁଭ୍‌ଡ ସର୍କିଟ)ର ଯୋଗାଣ ନ କରାଯିବା ମଧ୍ୟ ଏକ ଭୁଲ ଥିଲା । ଯାହା କାରଣରୁ ତ୍ରୁଟିପୂର୍ଣ୍ଣ ୱେୟାରିଂ ହୋଇଥିଲା । ଏଥିରେ କୁହାଯାଇଛି ଯେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକଙ୍କ ଏକ ଟିମ୍‌ ୱେୟାରିଂ ସର୍କିଟ୍‌କୁ ସଜାଡ଼ିଥିଲା ଏବଂ ଏହାକୁ ଦୋହରାଇବାରେ ବିଫଳ ହୋଇଥିଲା ।

ରିପୋର୍ଟ ଆହୁରି କହିଛି ଯେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ର ବାଙ୍କରନୟାବାଜ ଷ୍ଟେସନରେ ୨୦୨୨ ମେ ୧୬ରେ ତ୍ରୁଟିପୂର୍ଣ୍ଣ ୱେୟାରିଂ ଏବଂ କେବୁଲ୍‌ ଫ୍ଲାଟ୍‌ କାରଣରୁ ଏହିଭଳି ଅଘଟଣ ଘଟିଥିଲା । ଯଦି ଏହି ଘଟଣା ପରେ ତ୍ରୁଟିପୂର୍ଣ୍ଣ ୱେୟାରିଂ ପ୍ରସଙ୍ଗକୁ ନେଇ ବିହିତ ପଦକ୍ଷେପ ନିଆଯାଇଥାନ୍ତା ଏବଂ ଏଥିରେ ସୁଧାର ପାଇଁ ଉପାୟ ବାହାର କରାଯାଇଥାନ୍ତା, ବାହାନଗା ବଜାର ଷ୍ଟେସନରେ ଦୁର୍ଘଟଣା ଆଦୌ ହୋଇ ନଥାନ୍ତା । ଗଲା ଜୁନ୍‌ ୨ରେ ହୋଇଥିବା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୯୩ ଲୋକ ପ୍ରାଣ ହରାଇଥିଲେ । ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ସାରା ଦେଶକୁ ଏହି ଘଟଣା ଦୋହଲାଇ ଦେଇଥିଲା ।

ରିପୋର୍ଟ କହିଛି ଯେ ଟ୍ରେନ୍‌ ନଂ. ୧୨୮୪୧ (ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପେସ୍‌) ଏବଂ ମାଲବାହୀ ଟ୍ରେନ୍‌ (ଏନ୍‌/ଡିଡିଆଇପି) ମଧ୍ୟରେ ଧକ୍କା ହେବାରୁ ୧୨୮୪୧ ନମ୍ବର ଟ୍ରେନ୍‌, ମାଲବାହୀ ଟ୍ରେନ୍‌ ଏବଂ ୧୨୮୬୪ ନଂ. ଟ୍ରେନ୍‌ (ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌) ଦୁର୍ଘଟଣାର ଶିକାର ହୋଇଥିଲା । ୧୨୮୪୧ ଟ୍ରେନ୍‌ରେ ତ୍ରୁଟିପୂର୍ଣ୍ଣ ସିଗ୍‌ନାଲିଂ ପାଇଁ ଏହା ପୂର୍ବରୁ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌ ସହ ଧକ୍କା ଖାଇଥିଲା । ଦୁର୍ଘଟଣାସ୍ଥଳ ନିରୀକ୍ଷଣ, ଡାଟା-ଲଗର୍‌ ରେକର୍ଡରେ ସ୍ଥାନିତ ତଥ୍ୟର ବିଶ୍ଳେଷଣ ଏବଂ ତଦନ୍ତ ବେଳେ ମିଳିଥିବା ପ୍ରମାଣ/ସୂଚନାକୁ ଭିତ୍ତିକରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ସିଆର୍‌ଏସ୍‌ ରିପୋର୍ଟରେ କୁହାଯାଇଛି ଯେ ଏହିଭଳି ପ୍ରକାର ବିପର୍ଯ୍ୟୟ ପାଇଁ ପ୍ରାରମ୍ଭିକ ପ୍ରତିକ୍ରିୟା ବେଶ୍‌ ଦ୍ରୁତ ହେବା ଆବଶ୍ୟକ । ଏଥିସହ ରେଳପଥକୁ ଜୋନାଲ୍‌ ରେଳପଥରେ ବିପର୍ଯ୍ୟୟ-ପ୍ରତିକ୍ରିୟା ପ୍ରଣାଳୀର ସମୀକ୍ଷା କରିବା ଏବଂ ଜୋନାଲ ରେଳପଥ ଏବଂ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଭଳି ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ବଳ ମଧ୍ୟରେ ଉତ୍ତମ ସମନ୍ୱୟ ପାଇଁ ରିପୋର୍ଟରେ ପରାମର୍ଶ ଦିଆଯାଇଛି।

Leave a comment