କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପରେ ଲଦାଖରେ ଆତଙ୍କବାଦ କମିଛି: ରାଜନାଥ ସିଂହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ଦିନିଆ ଲଦାଖ ଗସ୍ତରେ ଥିବା ବେଳେ ଆଜି ସେ ବର୍ଡର ରୋଡ ଅର୍ଗାନାଇଜେସନ (ବ୍ରୋ)ର ୬୩ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିବା ପରେ ସେଠାରେ ଆତଙ୍କବାଦ ହ୍ରାସ ପାଇଛି। ଏଠାରେ ସେନା, ପାରାମିଲିଟାରି ଫୋର୍ସ ଓ ସ୍ଥାନୀୟ ପୁଲିସ ମଧ୍ୟରେ ପାରସ୍ପରିକ ସମନ୍ୱୟ ରହିଛି।
ଏଥିସହ ସେ କହିଛନ୍ତି କି କିଛି ଲୋକଙ୍କ ମଧ୍ୟରେ ଭୁଲ ଧାରଣା ରହିଛି, ଯାହାକି ଜମ୍ମୁ କାଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ପ୍ରଦେଶ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଚାଲ ବୋଲି କହୁଛନ୍ତି। ତେଣୁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ କଶ୍ମୀରର ରାଜନେତାଙ୍କ ସହିତ ଆଲୋଚନା କରିଛନ୍ତି ଓ ଖୁବଶୀଘ୍ର ଲଦାଖ ରାଜନେତାଙ୍କ ସହିତ ଆଲୋଚନା ମଧ୍ୟ ହେବ। ଏଥିସହିତ ଖୁବଶୀଘ୍ର ଉଭୟ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି।
ସେ କହିଛନ୍ତି କି ଆମ ସେନା ବହୁ ଶକ୍ତିଶାଳୀ ଓ ଦୟାଳୁ। ଯଦି କେହି ଆତଙ୍କବାଦୀ ନିଜକୁ ଆମ ନିକଟରେ ସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହେଁ ତାକୁ ଆଉ ଏକ ସୁଯୋଗ ଦିଆଯିବ।