ପାଡାଲପୁଟ ଗ୍ରାମକୁ ସଂଯୋଗ କରୁଥିବା ମାଟି ରାସ୍ତା ମରାମତି କଲେ ସ୍କୁଲ୍ ପିଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗ୍ରାମାଞ୍ଚଳକୁ ଯୋଗାଯୋଗ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ବହୁ ବାର ଦାବିପରେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ସ୍କୁଲ ଛାତ୍ର ଓ ସ୍ୱୟଂ ସହାୟକ ଗୋଷ୍ଟି ର ମା ମାଉସୀ ମାନେ କରିଛନ୍ତି ରାସ୍ତା ନିର୍ମାଣ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ପଟ୍ରେଲ୍ ପଂଚ।ୟତ ଏକ ପାଡାଲପୁଟ ଗ୍ରାମରେ । ମାଲକାନଗିରି- ବାଲିମେଳା ମୂଖ୍ୟ ସଡକରୁ କେନ୍ଦୁଗୁଡା କୁ ଯାଉଥିବା ପୁର୍ତ୍ତ ବିଭାଗ ସଡକରୁ ଆଗ୍ରୋ ନର୍ସରୀ ଦେଇ ମାଝିଗୁଡାକୁ ସଂଯୋଗକରୁଥିବା ମାଟି ରାସ୍ତାକୁ ମେଟାଲ୍ କଙ୍କ୍ରିଟ୍ କିମ୍ବା ପିଚୁ ରାସ୍ତା ରେ ରୂପାନ୍ତରିତ କରିବାକୁ ନିମନ୍ତେ ଗ୍ରାମବାସୀ ଅନେକ ଦିନ ଧରି ସରପଞ୍ଚ ଓ କରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଜଣାଇଥିଲେ । କିନ୍ତୁ ରାସ୍ତାର ମରାମତି ତ ଦୁରର କଥା, ଗତ ୫ ବର୍ଷ ମଧ୍ୟରେ କୌଣସି ମରାମତି କାର୍ଯ୍ୟ ମଧ୍ୟ ହୋଇପାରିନାହିଁ । ଏ ବିଷୟ ରେ ଗ୍ରାମ ସଭା ରେ ମଧ୍ୟ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନାହିଁ । ଏହା ପରେ ଗାଁ ଲୋକ ନିଜସ୍ୱ ସାମୁହିକ ଶ୍ରମଦାନ କରି ପ୍ରତିବର୍ଷ ରାସ୍ତାର କିଛି କିଛି ଅଂଶ ମରାମତି କରିଆସୁଥିଲେ । ବିଦ୍ୟାଳୟ ଖୋଲିବାପରେ ସାଇକେଲ ରେ ଯାଉଥିବା ୨ଜଣ ବିଦ୍ୟାର୍ଥି ବହି ବସ୍ତାନୀ ସହ ଏହି ରାସ୍ତାରେ ପଡି ଆହତ ହୋଇଥିଲେ ଏବଂ ଅପରଦିଗରୁ ଆସୁଥିବା ମଟରସାଇକଲ ଚାଳକ ମଧ୍ୟ ଆହତ ହୋଇଥିଲେ । ଆଜି ସକାଳୁ ସମସ୍ତ କୁନି ପିଲାମାନେ କୋଡି କୋଦାଳ ଧରି ରାସ୍ତାରେ ହୋଇଥିବା ଖାଲ ଢେପ ଗୁଡିକୁ ସମତଳ କରିଥିଲେ । ଏଥିସହ ଗ୍ରାମର ୨ ସ୍ୱୟଂ ସହାୟକ ଗୋଷ୍ଠୀର ମା ଓ ମାଉସି ମାନେ ନିଜେ ଅଣ୍ଟା ଭିଡି ପିଲାଙ୍କ ସହ ମରାମତି କାମରେ ସହଯୋଗ କରିଥିଲେ। ସେମାନେ ନିଜର କିଛି ସଂଚୟ ଓ କିଛି ଚାନ୍ଦାକରି ୩ ହଜାର ଟଙ୍କା ଖର୍ଚ କରି ମାଟି ଆଣି ରାସ୍ତାର ଆବଶ୍ୟକ ସ୍ଥାନମାନଙ୍କରେ ପକାଇ ସମତଳ କରିଛନ୍ତି । ତେବେ ତୁରନ୍ତ ଏହି ଗ୍ରାମକୁ ସଂଯୋଗ ପାଇଁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପୁଣି ଦାବି କରିଛନ୍ତି ।