୨୦୨୧ ମସିହାରେ ସଂଘଠିତ ହେବ ଦୁଇଟି ସୂର୍ଯ୍ୟ ପରାଗ ଓ ଦୁଇଟି ଚନ୍ଦ୍ର ଗ୍ରହଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୨୧ ବର୍ଷରେ ଭାରତର ବିଭିନ୍ନ ଅଞ୍ଚଳରେ ଅନ୍ୟୂନ ଦୁଇଟି ସୂର୍ଯ୍ୟ ପରାଗ ଓ ଦୁଇଟି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ବୋଲି ଜ୍ୟୋତିର୍ବିତ୍‌ମାନେ କହିଛନ୍ତି। ୨୦୨୧ ଜୁନ୍‌ ୧୦ ତାରିଖରେ ସଂଘଠିତ ହେବ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ। ଏହି ପରାଗ ୟୁରୋପ, ଏସିଆ, ଉତ୍ତର ଆଫ୍ରିକା, ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଆଟ୍‌ଲାଣ୍ଟିକ୍‌ ଏବଂ ଆର୍ଟିକ୍‌ର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ। ଭାରତରେ ଏହି ପରାଗର ଗ୍ରାସ ଦିନ ୧.୪୨ରେ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ରେ ମୋକ୍ଷ ହେବ।
୨୦୨୧ ବର୍ଷର ଦ୍ୱିତୀୟ ସୂର୍ଯ୍ୟୋପରାଗ ସଂଘଠିତ ହେବ ଡିସେମ୍ବର ୪ ତାରିଖ ଦିନ। ଏହି ପରାଗ ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳ, ଦକ୍ଷିଣ ଆଫ୍ରିକା, ଆମେରିକା, ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍‌ ମହାସାଗର, ଭାରତ ମହାସାଗର ଏବଂ ଆଣ୍ଟାର୍କଟିକାକୁ ଦୃଶ୍ୟମାନ ହେବ।
ଜ୍ୟୋତିର୍ବିତ୍‌ମାନଙ୍କ ମତରେ, ୨୦୨୧ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ ମେ ୨୬ ତାରିଖରେ। ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦକ୍ଷିଣ ଏସିଆ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଣ୍ଟ୍‌ଲାଟିକ୍‌ ମହାସାଗର, ଭାରତ ମହାସାଗର ଓ ଆଣ୍ଟାର୍କଟିକାକୁ ଦୃଶ୍ୟମାନ ହେବ।
ଦିନ ୨.୧୭ରୁ ଏହି ଗ୍ରହଣର ଗ୍ରାସ ଆରମ୍ଭ ହୋଇ ସନ୍ଧ୍ୟା ୭.୧୯ରେ ମୋକ୍ଷ ହେବ।
ଏହା ବ୍ୟତିରେକେ, ୨୦୨୧ ବର୍ଷର ନଭେମ୍ବର ୧୮ ଓ ୧୯ ତାରିଖରେ ସଂଘଠିତ ହେବ ଏକ ଆଂଶିକ ଚନ୍ଦ୍ର ଗ୍ରହଣ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆଫ୍ରିକା, ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଣ୍ଟ୍‌ଲାଟିକ୍‌ ମହାସାଗର, ଭାରତ ମହାସାଗର ଏବଂ ଆର୍କଟିକ୍‌ର ବହୁଳାଂଶରେ ଦୃଶ୍ୟମାନ ହେବ।
ଭାରତରେ ଏହି ଗ୍ରହଣ ଦିନ ୧୧.୩୧ରେ ଆରମ୍ଭ ହୋଇ ସନ୍ଧ୍ୟା ୬.୩୩ରେ ଶେଷ ହେବ।

Leave a comment