‘ଶିରୋମଣି ଅକାଳି ଦଳ ଓ ଶିବସେନା ବିନା ଏନଡିଏର ଅସ୍ଥିତ୍ୱ ନାହିଁ’
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଦ୍ୱିତୀୟ ଏନଡିଏ ସରକାରରେ ସହଯୋଗୀ ଦଳର ଅସନ୍ତୋଷ ବଢ଼ୁଛି। ଶିବସେନା ପରେ ଶିରୋମଣି ଅକଳି ଦଳ ଏନଡିଏକୁ ବାଏ ବାଏ କରିବା ପରେ ଏଭଳି ମତ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଭାଗବଣ୍ଟା ନଛିଣ୍ଡିବାରୁ ଏନଡିଏରୁ ଓହରିଥିଲା ଶିବସେନା। ଏବେ କୃଷି ବିଲକୁ ବିରୋଧ କରି ଏନଡିଏରୁ ଓହରିଛି ଶିରୋମଣି ଅକାଳି ଦଳ।
ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଯେଉଁ ମିଳିତ ମଞ୍ଚରେ ଶିବସେନା ଏବଂ ଅକାଳି ଦଳ ନାହାନ୍ତି ସେହି ମଞ୍ଚକୁ ଏନଡିଏ ବୋଲି ସେ ଗ୍ରହଣ କରିପାରୁ ନାହାନ୍ତି ବୋଲି ସଞ୍ଜୟ କହିଛନ୍ତି।ପଞ୍ଜାବ ଏବଂ ହରିଆଣାର କୃଷକମାନେ ମୋଦି ସରକାର ଆଣିଥିବା କୃଷି ବିଲକୁ ବିରୋଧ କରୁଛନ୍ତି। ଏଥି ସହିତ କଂଗ୍ରେସ ଦଳ କୃଷକଙ୍କ ପ୍ରସଙ୍ଗରେ ଦେଶବ୍ୟାପୀ ପ୍ରଦର୍ଶନ କରିବ ବୋଲି କହି ସାରିଛି। ନିକଟରେ ଶିରୋମଣି ଅକାଳି ଦଳ ମୁଖ୍ୟ ସୁଖବୀର ସିଂ ବାଦଲ କୃଷି ବିଲକୁ ବିରୋଧ କରି ଏନଡିଏ ବିରୋଧରେ କହୁଛନ୍ତି, ସେବେଠାରୁ ଏନଡିଏ ଉପରେ ପ୍ରଶ୍ନ ଉଠିଛି।
ରାଜ୍ୟସଭା ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ‘ଶିବସେନା ଏବଂ ଅକାଳି ଦଳ ଏନଡିଏର ପ୍ରମୁଖ ଦଳ। ଶିବସେନା ଏନଡିଏ ଛାଡିବାକୁ ବାଧ୍ୟ ହୋଇଥିଲା, ବର୍ତ୍ତମାନ ଅକାଳି ଦଳ ମଧ୍ୟ ବାଧ୍ୟ ହୋଇଛି। ଏହାରି ଭିତରେ ଏନଡିଏ ନୂଆ ସହଯୋଗୀ ମଧ୍ୟ ପାଇଛି। କିନ୍ତୁ ଯେଉଁ ମଞ୍ଚରେ ଶିବସେନା ଏବଂ ଅକାଳି ଦଳ ନାହାନ୍ତି, ଏହାକୁ ଏନଡିଏ ବୋଲି ସେ ଗ୍ରହଣ କରିପାରୁ ନାହାନ୍ତି ବୋଲି ସେ କହିଛନ୍ତି। ଯେତେବେଳେ ଏନଡିଏରେ ଏହି ଦୁଇ ଦଳ ନାହାନ୍ତି ସେହି ମଞ୍ଚଳୁ ଏନଡିଏ କହିବା ଠିକ୍ ନୁହଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଶିରୋମଣି ଅକାଳି ଦଳର ସାଂସଦ ହରସମିତ କୌର ଏନଡିଏଠାରୁ ଅଲଗା ହେବା ବିଷୟରେ କହିଛନ୍ତି, ଯଦି ପଞ୍ଜାବ ବାସୀଙ୍କ ଯନ୍ତ୍ରଣା ଏବଂ ବିରୋଧ ପ୍ରଦର୍ଶନ ପଛର କାରଣକୁ ଭାରତ ସରକାର ବୁଝି ପାରିଲେନି। ତେଣୁ ଏନଡିଏରେ ରହିବାର ଆବଶ୍ୟକ ନାହିଁ। ଏବେ ସେହି ଏନଡିଏ ନାହିଁ ଯାହାକୁ ବାଜେପୀୟ ଏବଂ ବାଦଲ ସାହାବ ଆକଳନ କରିଥିଲେ।