ରାଜନୈତିକ ମହଲରେ ଚର୍ଚ୍ଚା, ରୂପେଶ ଭଦ୍ର କେଉଁ ଦଳର ବଜେପିର ନା ବିଜେଡ଼ିର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ସ୍ମିତାରାଣୀଙ୍କ ହତ୍ୟା ଅଭିଯୋଗରେ ଆଜି ଗିରଫ କରିଛି ପୋଲିସ । ଧର୍ମଶାଳା ବ୍ଲକ ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଆଜି ଘନଘନ ସାମ୍ବାଦିକ ସମ୍ବିଳନୀ କରୁଛି । ଏହି ସାମ୍ବାଦିକ ସମ୍ବିଳନୀରେ ଅଭିଯୁକ୍ତ ରୂପେଶ ଭଦ୍ର ସହ ବିଜେଡିର କୃଷିମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସୁସମ୍ପର୍କ ଥିବା କହି ଏକ ଫଟୋ ଜାରି କରିଥିଲା ବିଜେପି ।

ମାତ୍ର ଏହି ସାମ୍ବାଦିକ ସମ୍ବିଳନୀକୁ କିଛି ଘଣ୍ଟା ନପୁରୁଣୁ ସୋସିଆଲ ମିଡିଆରେ ବିଜେପି ନେତା ସରଜନ ଶର୍ମାଙ୍କ ସହ ଉକ୍ତ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଫଟୋ ଭାଇରଲ ହେବାରେ ଲାଗିଥିଲା । ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଓ ସାଧାରଣରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛିଯେ ରୂପେଶ ଭଦ୍ର ପ୍ରକୃତରେ କାହାର? ବିଜେପି ଦଳର ନା ବିଜେଡି ଦଳର । ସେହିପରି ଅନେକ ରାଜନୈତିକ ବିଶେଷଜ୍ଞ ଆଗକୁ ଅଭିଯୁକ୍ତ ରୂପେଶ ଓ କଂଗ୍ରେସ ନେତାଙ୍କ ଫଟୋ ଭାଇରଲ ହୋଇପାରେ ବୋଲି ମଧ ମତ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ଭତ୍ତା ଟଙ୍କା ବାଣ୍ଟିବା ସାରିବା ପରେ ସରପଞ୍ଚଙ୍କ ଅନୁପସ୍ଥିତିରେ ମଧ୍ୟାହ୍ନରେ ଏହି ଗେଷ୍ଟ ହାଉସ୍କୁ ଯାଇଥିଲେ ସ୍ମିତା । କିନ୍ତୁ ଦୁର୍ଭାଗ୍ୟକୁ ଏହାର କିଛି ଘଣ୍ଟା ପରେ ରହସ୍ୟଜନକ ଭାବେ ମିଳିଲା ସ୍ମିତାଙ୍କ ମୃତଦେହ । ଅପରପକ୍ଷରେ ପରିବାର ଲୋକେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ଆଶଙ୍କା କରିବା ସହ କର୍ମକ୍ଷେତ୍ରରେ ଚାପ ପଡ଼ୁଥିଲା ବୋଲି ଅଭିଯୋଗ କରିଥିଲେ ସ୍ମିତାଙ୍କ ସ୍ୱାମୀ। ବିଭିନ୍ନ ସମୟରେ ବେନିୟମ କାମ କରିବାକୁ ବାଧ୍ୟ କରାଯିବା ସହ ବାରମ୍ବାର ଫୋନ କଲ ଆସୁଥିଲା ବୋଲି ସ୍ୱାମୀ ଅଭିଯୋଗ କରିଥିଲେ ।