ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍

0

ଓଏସଏସସି JE ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ପ୍ରଥମ ଥର ପାଇଁ ଆକ୍ସନ ମୋଡକୁ ଆସିଲା ଓଡିଶା ଷ୍ଟାଫ ସିଲେକ୍ସନ କମିଶନ । ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାହିଁକି ଆଜୀବନ ଓଏସଏସସି ନିଯୁକ୍ତି ପରୀକ୍ଷାରୁ ବାସନ୍ଦ କରାନଯିବ ସେ ନେଇ ସଂପୃକ୍ତ ୫୫ ପରୀକ୍ଷାର୍ଥୀଙ୍କୁ ଜବାବ ମଗାଯାଇଛି ।

ଏହି ବହୁ ଚର୍ଚ୍ଚିତ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୋଟ୍ ୧୭ ଜଣ ଗିରଫ ହୋଇଛନ୍ତି । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ବିହାରର ଜଣେ ସରକାରୀ କର୍ମଚାରୀ ରହିଛନ୍ତି, ଓଡିଶାରୁ ୨ ଜଣ ଶିକ୍ଷକ ମଧ୍ୟ ଏହି କାରବାରରେ ସାମିଲ ଅଛନ୍ତି । ବାଲେଶ୍ୱର ଏସପି ସାଗରିକା ନାଥ ଏହି ମାମଲାରେ ତଦନ୍ତ କରି ଏକ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ଏହି ରାକେଟ୍ ସହ ଡିଲରେ ଜଡ଼ିତ ଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସପି ଓଏସ୍ଏସସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ଏହାପରେ ଓଏସଏସସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ୫୫ ପରୀକ୍ଷାର୍ଥୀଙ୍କୁ ନୋଟିସ୍ କରିଛି ।

ଅନ୍ୟପଟେ ଏହି ନିଯୁକ୍ତି ଠକେଇ ରାକେଟ୍ ସହ ଓଏସ୍ଏସସିର ସମ୍ପୃକ୍ତି ଅଛି କି ନାହିଁ, ଡିଲ୍ ବେଳେ ଧରାପଡ଼ିଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ଯୋଗାଯୋଗ ନମ୍ବର ଉକ୍ତ ରାକେଟ୍ ପାଇଲା କିପରି, ଓଏସ୍ଏସସିର ପ୍ରଶ୍ନପତ୍ର ଛାପିବା ପାଇଁ ବାହାର ରାଜ୍ୟର ଯେଉଁ ପ୍ରିଂଟିଂ ପ୍ରେସକୁ ଦାୟିତ୍ୱ ଦିଆଯାଇଥିଲା ସେଠାରେ ପ୍ରଶ୍ନପତ୍ର ସୁରକ୍ଷା ଦାୟିତ୍ୱରେ କିଏ ଥିଲେ, ଏହି ଘଟଣା ପରେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତା ଉପରେ ସାରା ରାଜ୍ୟର ନଜର ରହିଛି ।

Leave a comment