କ୍ୱାରାଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ସଂକ୍ରମିତ ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜେ କ୍ୱାରାଣ୍ଟାଇନରେ ରହିଛନ୍ତି । ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ କ୍ୱାରାଣ୍ଟାଇନରେ ରହିଥିବା ସେ ଟ୍ଵିଟ କରି ଜଣାଇଛନ୍ତି । ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱର୍ଗତଃ ମଦନ ମୋହନ ଦତ୍ତଙ୍କ ଉଦ୍ଦେଶ୍ୟରେ ଗତ ୨ ଓ ୩ ଜୁଲାଇରେ ଅନୁଷ୍ଠିତ ଏକ ଶୋକସଭାରେ ସେ ନୀଳଗିରି ବିଧାୟକଙ୍କ ସହ ଯୋଗ ଦେଇଥିଲେ ମଙ୍ଗଳବାର ବିଧାୟକ ଶ୍ରୀ ନାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ନିଜକୁ କ୍ୱାରାଣ୍ଟାଇନ କରିଛନ୍ତି । ତେବେ ସେ ସୁସ୍ଥ ଥିବା ଜଣାଇଛନ୍ତି ।
ନୀଳଗିରି ବିଧାୟକ କରୋନା ସଂକ୍ରମିତ ଥିବା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ସେ ଗତ ୩ ତାରିଖରେ ବାଲେଶ୍ୱର ସଦର ବିଧାୟକ ୰ ମଦନମୋହନ ଦତ୍ତଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ। ବିଜେପି ସମେତ ବିଭିନ୍ନ ଦଳର ବରିଷ୍ଠ ନେତୃବୃନ୍ଦ ଓ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ ଉକ୍ତ ସଭାରେ ଉପସ୍ଥିତ ଥିଲେ। ସେହିପରି ସଂପୃକ୍ତ ବିଧାୟକ ଜୁଲାଇ ୨ ତାରିଖରେ ଭୁବନେଶ୍ବରରେ ବିଧାନସଭାର ପଞ୍ଚାୟତିରାଜ ଓ ପାନୀୟଜଳ ସଂପର୍କିତ ଷ୍ଟାଣ୍ଡିଂ କମିଟି ବୈଠକରେ ସାମିଲ ଥିଲେ ବୋଲି ସୂଚନା ରହିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧାୟକଙ୍କୁ କୋଭିଡ ହସ୍ପିଟାଲ ଆଣିବା ପାଇଁ ଏକ ଟିମ ଯାଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିବା ଜିଲ୍ଲା କୋଭିଡ କେୟାର ଅଫିସର କହିଛନ୍ତି।