ହିମାଚଳ ଭୂସ୍ଖଳନରେ ପ୍ରାଣ ହରାଇଲେ ୯ ପର୍ଯ୍ୟଟକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହିମାଚଳ ପ୍ରଦେଶର କିନ୍ନର ଜିଲ୍ଲାର ବସ୍ତେରୀ ନିକଟରେ ଏକ ଭୂସ୍ଖଳନରେ ନଅ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ସାଂଗଲା-ଚିତକୁଲ ରାସ୍ତାର ବସ୍ତି ନିକଟରେ ଅପରାହ୍ନ ୧.୨୫ ସମୟରେ ଏକାଧିକ ଭୂସ୍ଖଳନ ଘଟି ଏକ ବ୍ରିଜ ଭୁଶୁଡ଼ି ପଡ଼ିବାରୁ କିଛି ଗାଡି ନଷ୍ଟ ହୋଇଥିଲା। ଭୂସ୍ଖଳନ ଘଟି ବଡ ବଡ ପଥର ମଧ୍ୟ ଗାଡି ଉପରେ ପଡିଥିଲା।
ବସ୍ତେରୀରେ ଏକ ବ୍ରିଜ ଭୁଶୁଡ଼ିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ପଥରଗୁଡିକ ଦ୍ରୁତ ଗତିରେ ତଳକୁ ଖସୁଥିବାର ଦେଖିବାକୁ ମିଳିଥିଲା, ଯାହା ଫଳରେ ବ୍ରିଜ୍ ଭୁଶୁଡି ପୋଲିସର ସୂଚନାନୁସାରେ, ଟେମ୍ପୋ ଯାତ୍ରୀଙ୍କ ଉପରେ ଭାରୀ ପଥର ପଡ଼ିବାରୁ ନଅ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଥିଲେ। ଏହି ଯାତ୍ରୀମାନେ ଚିତକୁଲରୁ ସାଙ୍ଗଲା ଯାଉଥିଲେ। ସେହିଭଳି କିନ୍ନର ଜିଲ୍ଲାର ଅନ୍ୟ ଏକ ଭୂସ୍ଖଳନରେ ଜଣେ ପଥଚାରୀ ଆହତ ହୋଇଛନ୍ତି।
କିନ୍ନର ଠାରେ ଭୂସ୍ଖଳନ ହେତୁ ଲୋକଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
ରାଷ୍ଟ୍ରପତି କୋବିନ୍ଦ ଟ୍ୱିଟ କରିଛନ୍ତି, ‘ହିମାଚଳ ପ୍ରଦେଶର କିନ୍ନରଠାରେ ଭୂସ୍ଖଳନରେ ଅନେକ ଲୋକଙ୍କ ମୃତ୍ୟୁ ଖବର ପାଇ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି ଏବଂ ଆହତ ଲୋକଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି।’
ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା ମୋଦି କହିଛନ୍ତି। ଏହାସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ଦେବାକୁ ଘୋଷଣା କରାଯାଇଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।
ପୋଲିସ କହିଛି ଯେ ସମସ୍ତ ମୃତକ ପର୍ଯ୍ୟଟକ ଥିଲେ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଆସିଥିଲେ। ମୃତକମାନେ ହେଲେ ରାଜସ୍ଥାନର ମାୟାଦେବୀ ବିୟାନି(୫୫), ତାଙ୍କ ପୁଅ ଅନୁରାଗ ବିୟାନି (୩୧) ଓ ଝିଅ ରିଚା ବିୟାନି (୨୫), ମହାରାଷ୍ଟ୍ରର ପ୍ରତୀକ୍ଷା ସୁନୀଲ ପତି (୨୭), ଜୟପୁରର ଦୀପ ଶର୍ମା (୩୪), ଛତିଶଗଡର ଅମୋଘ ବାପତ (୨୭) ଓ ସତୀଶ କଟକବାର (୩୪), ପଶ୍ଚିମବଙ୍ଗର ଡ୍ରାଇଭର ଉମରବ ସିଂହ (୪୨) ଓ କୁମାର ଉଲହାସ (୩୭)।