ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘୋଷଣା ହେଲା ପିପିଲି ଉପନିର୍ବାଚନ ତାରିଖ । ୩୦ ସେପ୍ଟେମ୍ବରରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଉପନିର୍ବାଚନ ନେଇ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ୩ଟି ଆସନ ସହିତ ପିପିଲି ଉପନିର୍ବାଚନ ହେବ ।
ସୂଚନା ଅନୁଯାୟୀ , ପୂର୍ବରୁ ମେ ମାସ ୧୬ ତାରିଖରେ ହେବାକୁ ଥିବା ଉପ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲିରେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରୁଥିଲା କଂଗ୍ରେସ । ଏ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟି ନିର୍ବାଚନ କମିଶନଙ୍କ ଉଦେଶ୍ୟରେ ଦାବି ପତ୍ର ଦେଇଥିଲା କଂଗ୍ରେସ । ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଦୃଷ୍ଟିରେ ରଖି ପଦକ୍ଷେପ ନେଇଥିଲେ ନିର୍ବାଚନ କମିଶନ ।
ପିପିଲି ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏପ୍ରିଲ ୧୭ରେ ନିର୍ବାଚନ ହେବା ନେଇ ନିର୍ଣ୍ଣୟ ନିଆଯାଇଥିଲା । ତେବେ ନିର୍ବାଚନକୁ ୨ ଦିନ ଥିବା ବେଳେ କୋଭିଡ ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଦେହାନ୍ତ ହେଲା । ଏଥି ଯୋଗୁଁ ଏହା ଘୁଞ୍ଚିଥିଲା । ଫଳରେ ନିର୍ବାଚନ ସ୍ଥଗିତ ହୋଇଥିଲା । ପୁଣି ମେ ୧୩ ରେ ନିର୍ବାଚନ ନେଇ ଘୋଷଣା ହୋଇଥିଲେ ସତ୍ତ୍ବେ ଇଦୁଲଫିତର ଯୋଗୁଁ ମେ ୧୬ ରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ କୋରୋନା ଯୋଗୁଁ ଏହାକୁ ଘୁଞ୍ଚାଇବାକୁ ଦାବି ତେଜିଥିଲା ।