ପିଏଚଡି ଛାତ୍ରଛାତ୍ରୀଙ୍କୁ ମିଳିବ ୩୦ ହଜାର ଟଙ୍କା
ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଫେଲୋସିପ୍ ସ୍କିମ (ସିଏମଆରଆଇଏଫପି) ଛାତ୍ରବୃତ୍ତି । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଏଚଡି କରୁଥିବା ତଥା ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ଉପକୃତ ହେବେ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା (ଓୟୁଆରଆଇଆଇପି)କୁ ଉନ୍ନତି କରି ଏହି ଯୋଜନା କରାଯାଇଛି ।
ରାଜ୍ୟରେ ପିଏଚଡି କରୁଥିବା ୩୦୦ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ୫ ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ ପିଏଚଡି ସ୍କୋଲାର । ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ ୫୦ ହଜାର ଓ ସାମାଜିକ ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ ବର୍ଷକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ଯେଉଁ ପିଏଚଡି ଧାରୀ ବିଶ୍ୱର ଶ୍ରେଷ୍ଠ ୨୫ ଟି ଜର୍ଣ୍ଣାଲରେ ନିଜ ନିବନ୍ଧ ପ୍ରକାଶ ପାଇଁ ରିସର୍ଚ୍ଚ କରୁଥିବେ ସେମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୩୦ ହଜାର ଟଙ୍କା ବୃତ୍ତି ଆକାରରେ ଦିଆଯିବ ।
ସ୍ନାତକ ଓ ସ୍ନାତକୋତ୍ତରରେ ପ୍ରଥମ ଶ୍ରେୀରେ ପାସ୍ କରିଥିବା ପିଲାଙ୍କୁ ପ୍ରବେଶିକା ପରୀକ୍ଷା ପାଇଁ ଅଗ୍ରାଧିକାର ଦିଆଯିବ । ଏଥିସହିତ ପିଏଚଡି ସହ ଜଡ଼ିତ ଥିବା ୬୦ ଜଣ ଅଧ୍ୟାପକଙ୍କୁ ପ୍ରତିବର୍ଷ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେହିପରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଶ୍ୱବିଦ୍ୟାଳୟର ଉକ୍ରର୍ଷ କେନ୍ଦ୍ରକୁ ମଧ୍ୟ ଅନୁଦାନ ପ୍ରଦାନ କରାଯିବ ।