ନଭେମ୍ବର ପହିଲାରୁ ମଣ୍ଡିରେ ଧାନ ସଂଗ୍ରହ, ଧାନ ସଂଗ୍ରହ ବେଳେ ସିସିଟିଭି ଲାଗିବା ବାଧ୍ୟତାମୂଳକ
ନଭେମ୍ବର ପହିଲାରୁ ମଣ୍ଡିରେ ଧାନ ସଂଗ୍ରହ । ଧାନ ସଂଗ୍ରହ ବେଳେ ଲାଗିବ ସିସିଟିଭି କ୍ୟାମେରା । ମଣ୍ଡିରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ଖରିଫ ଚାଷବେଳେ ଉତ୍ପାଦନ ହୋଇଥିବା ଚାଷୀଙ୍କ ବଳକା ଧାନ ମଣ୍ଡିରେ ଦେଇପାରିବେ । ଧାନ ସଂଗ୍ରହରେ ସ୍ୱଚ୍ଛତା ଅବଲମ୍ବନ ପାଇଁ କଡା ପଦକ୍ଷେପ ନେଇଛି ରାଜ୍ୟ ସମବାୟ ବିଭାଗ ।
ପ୍ରତି ମଣ୍ଡିରେ ସେଥିପାଇଁ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରିଛି ବିଭାଗ । ଏହି ନିୟମକୁ କଡାକଡି କରିବା ପାଇଁ ତାଗିଦ ବି କରାଯାଇଛି । ଏନେଇ ରାଜ୍ୟର ସମସ୍ତ ଡିଭିଜନାଲ ଡେପୁଟି ରେଜିଷ୍ଟ୍ରାର ଅଫ କୋପରେଟିଭ ସୋସାଇଟିଜଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି ।
ସୂଚନାଥାଉ କି, ରାଜ୍ୟରେ ଚଳିତ ଖରିଫରେ ମୋଟ ୫୯.୭୩ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଏ ବର୍ଷ ଧାନଚାଷ ଭଲ ହେବ ବୋଲି କହିଛନ୍ତି ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢୀ ଆକଳନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଧାନମଣ୍ଡିର ଅନିୟମିତତା ଦୂର ପାଇଁ ପଦକ୍ଷେପ ନେଇଛନ୍ତି ସଚିବ । ସେଥିପାଇଁ ଧାନମଣ୍ଡିରେ ସିସିଟିଭି କ୍ୟାମେରା ଲଗାଇ ବିଭାଗୀୟ ଅଧିକାରୀଙ୍କ ନଜରରେ ସବୁ କାମ କରିବାପାଇଁ ପଦକ୍ଷେପ ନିଆଯାଇଛି ।
ଚାଷୀଙ୍କୁ ମଣ୍ଡିରେ କିପରି ବ୍ୟବହାର ଦେଖା ଯାଉଛି, କେତେ ସମୟ ଅପେକ୍ଷା କରିବାକୁ ପଡୁଛି ସବୁ ସତ ଏବେ ସାମ୍ନାକୁ ଆସିବ । ଏହା ପୂର୍ବରୁ ସବୁ ମଣ୍ଡିକୁ ତଥ୍ୟ ମାଗିଛି ବିଭାଗ । ଏହା ପୂର୍ବରୁ କେତେକ ମଣ୍ଡିରେ ସିସିଟିଭି ଲାଗିଥିଲା । ତେବେ କେତେ ଜାଗାରେ ଲାଗିଛି,କେତେ ଖରାପ ଅଛି ତାହାର ତଥ୍ୟ ମାଗିଛି । ସେହି ଅନୁସାରେ ସମସ୍ତ ମଣ୍ଡିରେ ସିସିଟିଭି ବାଧ୍ୟତାମୂଳକ କରାଯିବ ।