ଅଗ୍ନି-୧ ପ୍ରାଇମ୍ର ମିଶାଇଲର ସଫଳ ପରୀକ୍ଷଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ସଫଳତାର ସହିତ ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଅଗ୍ନି ପ୍ରାଇମ୍କୁ ସୋମବାର ଦିନ ଚାନ୍ଦିପୁରଠାରୁ ସଫଳତାର ସହିତ ଉତ୍କ୍ଷେପଣ କରାଯାଇଛି । ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ୍ ମିସାଇଲ୍ ଅଗ୍ନି-୧ର ଏହା ବିକଶିତ ଭର୍ସନ । ଏହାର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ୨ ହଜାର କିଲୋମିଟର ରହିଛି । ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । କେନିଷ୍ଟାରରୁ ଉତ୍କ୍ଷେପଣ କରାଯାଇ ପାରୁଥିବା ଏହି ଅଗ୍ନି ପ୍ରାଇମ୍ ମିସାଇଲ, ଅଗ୍ନି-୧ ମିସାଇଲ ଠାରୁ ହାଲୁକା ହୋଇଥିଲେ ମଧ୍ୟ ଏହା ଅଧିକ ବିଧ୍ୱଂସକ ଓ ପ୍ରଭାବଶାଳୀ ରହିବ ବୋଲି ଡିଆରଡିଓ ତରଫରୁ କୁହାଯାଇଛି । ପରମାଣୁ କ୍ଷମତା ସମ୍ପନ୍ନ ଏହି ମିଶାଇଲ କମ୍ପୋଜିଟ୍ ମେଟେରିଆଲରେ ନିର୍ମିତ । ୧୯୮୯ ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା । ଏହାକୁ କ୍ଷେପଣାସ୍ତ୍ରକୁ ଉଭୟ ରୋଡ଼ ଓ ରେଳ ଲଞ୍ଚରରୁ ଉତ୍କ୍ଷେପଣ କରାଯାଇ ପାରିବ । ଅଗ୍ନି ପ୍ରାଇମ୍ ମିସାଇଲ୍ର ସଫଳ ଉତକ୍ଷେପଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।