ପୂର୍ବ ଶତ୍ରୁତାରୁ ତଣ୍ଟିଚିପି ଫିଙ୍ଗିଦେଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଘସିପୁରା ଥାନା ଅନ୍ତର୍ଗତ କୁମୁଡ ଗାଁର ଦିବାକର ନାଇକ(୪୫) ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।
ସୂଚନା ଅନୁସାରେ, ଗତକାଲି ସକାଳେ କୋଳିମାଟି ପଞ୍ଚାୟତର କୁମୁଡ ଗାଁର ଦିବାକର ନାଇକଙ୍କ ଜଣେ ସଂପର୍କୀୟ ଭାଉଜଙ୍କୁ ସେହି ଗାଁର ଅଯୋଧ୍ୟା ନାଇକ ନାମକ ଜଣେ ଲୋକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାରପିଟ କରିଥିଲେ। ଏହା ଦେଖି ଦିବାକର ଭାଉଜଙ୍କୁ ରକ୍ଷା କରିବା ଲାଗି ଚେଷ୍ଟା କରିଥିଲେ। ଏହାପରେ ଅପରାହ୍ନରେ ଅଯୋଧ୍ୟା ନାଇକଙ୍କ ପୁଅ ସିପୁ ଦିବାକରଙ୍କୁ ମାରିବାକୁ ଧମକ ଦେଇଯାଇଥିଲା। ସିପୁ ଓ ତା’ର ସହଯୋଗୀମାନେ ଦିବାକରଙ୍କୁ ରାତି ପ୍ରାୟ ୮ଟା ବେଳେ ଏକୁଟିଆ ପାଇ ତାଙ୍କୁ କାବୁ କରି ତଣ୍ଟି ଚିପି ହତ୍ୟା କରିଥିଲେ। ସେମାନେ ଦିବାକରଙ୍କ ଶବକୁ ନିକଟସ୍ଥ ବିଲରେ ଫିଙ୍ଗି ଦେଇ ଚାଲିଯାଇଥିଲେ।

ଅଭିଯୁକ୍ତ ସିପୁକୁ ପୁଲିସ ଉଠାଇ ଆଣି ଘସିପୁରା ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାଯାଇଛି। ଏବେ ବି ଶବ ବିଲରେ ପଡ଼ିରହିଛି। କେନ୍ଦୁଝରରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି।

Leave a comment