ଭ୍ୟାକସିନ୍ ସାର୍ଟିଫିକେଟରେ ମୋଦିଙ୍କ ଫଟୋ କାହିଁକି? କୋର୍ଟ କହିଲେ,‘ସେ ଦେଶବାସୀଙ୍କ ପ୍ରଧାନମନ୍ତ୍ରୀ, ଆପଣ କାହିଁକି ଏତେ ଲଜ୍ଜା ଅନୁଭବ କରୁଛନ୍ତି’
ଭ୍ୟାକସିନ୍ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ କେରଳ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ । ଯାଚିକାର ଶୁଣାଣିକରି ଜଷ୍ଟିସ୍ ପିପି କୁହ୍ନିକୃଷ୍ଣନ୍ ଯାଚିକାକର୍ତ୍ତାକୁ କହିଛନ୍ତି, ‘ଯଦି ଦେଶର ପ୍ରଧାନମନ୍ତ୍ରୀଙ୍କ ଫଟୋ ଭ୍ୟାକସିନ୍ ସାର୍ଟିଫିକେଟରେ ରହୁଛି ତେବେ ଏଥିରେ ଅସୁବିଧା କଣ ହେଉଛି । ଯଦି କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାଁରେ ଦେଶରେ ୟୁନିଭରସିଟି ହୋଇପାରୁଛି ତେବେ ପାର୍ଟିଫିକେଟରେ ପିଏମ୍ ମୋଦିଙ୍କ ଫଟୋ ରହିବାରେ ସମସ୍ୟା କାହିଁକି?’
ଜଷ୍ଟିସ୍ ପିପି କୁହ୍ନିକୃଷ୍ଣନ୍ ଯାଚିକାକର୍ତ୍ତାକୁ କହିଛନ୍ତି, ‘ସେ ଆମ ଦେଶର ପ୍ରଧାନମନ୍ତ୍ରୀ କୌଣସି ଅନ୍ୟ ଦେଶର ନୁହେଁ । ତାଙ୍କୁ ଦେଶର ଜନତା ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି । ରାଜନୈତିକ ମତଭେଦ ରଖି ଆପଣ ଏଭଳି ଚ୍ୟାଲେଞ୍ଜ କରିପାରିବେ ନାହିଁ ।’ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କୁ କୋର୍ଟ କହିଛନ୍ତି, ‘ଆପଣ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏତେ ଲଜ୍ଜା ଅନୁଭବ କାହିଁକି କରୁଛନ୍ତି ? ଦେଶର ୧୦୦କୋଟି ଲୋକଙ୍କୁ ଏଥିନେଇ କୌଣସି ଆପତ୍ତି ନାହିଁ ତେବେ ଆପଣଙ୍କୁ କାହିଁକି ଏତେ ଅସୁବିଧା ହେଉଛି । ଆପଣ ଅଯଥାରେ କୋର୍ଟର ସମୟ ନଷ୍ଟ କରୁଛନ୍ତି’ ।
ସୂଚନାଯୋଗ୍ୟ, ପିଟର ମ୍ୟାଲପରଂମଭିଲ ନାମକ ଜଣେ ବ୍ୟକ୍ତି କୋଭିଡ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ଚ୍ୟାଲେଞ୍ଜ କରି କୋର୍ଟରେ ମାମଲା ଦାୟର କରିଥିଲେ । ଗତ ଅକ୍ଟୋବର ମାସରେ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚଳାନା କରୁଥିବା ଆଇନଜୀବୀ ଅଜିତ ରାୟ କୋର୍ଟଙ୍କୁ କହିଥିଲେ ଯେ, ‘ଭ୍ୟାକସିନ୍ ସାର୍ଟିଫିକେଟ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ମାମଲା ଏବଂ ଏଥିରେ ପ୍ରଧାନମନ୍ତ୍ରୀଙ୍କର କୌଣସି ଅଧିକାର ନାହିଁ, ରହିବ ଯଦି କାହିଁକି ରହିବ ? ଟିକା ନେଇଥିବା ବ୍ୟକ୍ତି ଟଙ୍କା ଦେଇ ଭ୍ୟାକସିନ୍ ନେଇଛନ୍ତି, ତେଣୁ ଏଥିରେ ବାହା ବାଃ.. ନେବାକୁ ସରକାରଙ୍କର କୌଣସି ଅଧିକାର ନାହିଁ । ଅନ୍ୟ ଦେଶମାନଙ୍କରେ କୌଣସି ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କର ଫଟୋ ନାହିଁ ।’
ଏହାକୁ ନେଇ କୋର୍ଟ କହିଛନ୍ତି, ‘ସେ ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଗର୍ବ କରୁନଥିଲେ କିନ୍ତୁ ଆମକୁ ଆମ ପ୍ରଧାନମନ୍ତ୍ରୀଙ୍କୁ ନେଇ ଗର୍ବ କରିବା କଥା । ସାରା ଦେଶର ଲୋକେ ତାଙ୍କୁ ନିର୍ବାଚିତ କରିଛନ୍ତି । ଆମର ବିଚାରଧାରା ଅଲଗା ହୋଇଥାଇପାରେ କିନ୍ତୁ ଏହାପରେ ମଧ୍ୟ ସେ ଦେଶର ପ୍ରଧାନମନ୍ତ୍ରୀ ।