ଖେଳ ରତ୍ନ ଆୱାର୍ଡ’କୁ ଏବେ ‘ମେଜର୍ ଧ୍ୟାନ ଚାନ୍ଦ୍ ଖେଳ ରତ୍ନ ଆୱାର୍ଡ’ କୁହାଯିବ: ପ୍ରଧାନମନ୍ତ୍ରୀ ମୋଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେଜର୍ ଧ୍ୟାନ ଚାନ୍ଦ୍ଙ୍କ ନାମାନୁସାରେ ଖେଳ ରତ୍ନ ପୁରସ୍କାର ନାମିତ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।
ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମାନୁସାରେ ନାମିତ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ଏବେ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ହକି ଖେଳାଳିଙ୍କ ସମ୍ମାନାର୍ଥେ ‘ମେଜର୍ ଧ୍ୟାନ ଚାନ୍ଦ୍ ଖେଳ ରତ୍ନ ଆୱାର୍ଡ’ କୁହାଯିବ। ଏ ସଂକ୍ରାନ୍ତରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ମେଜର୍ ଧ୍ୟାନ ଚାନ୍ଦ୍ଙ୍କ ନାମାନୁସାରେ ‘ଖେଳ ରତ୍ନ ଆୱାର୍ଡ’କୁ ନାମିତ କରିବା ଲାଗି ମୁଁ ସମଗ୍ର ଭାରତରୁ ନାଗରିକମାନଙ୍କ ଠାରୁ ଅନୁରୋଧ ପାଇ ଆସୁଛି। ସେମାନଙ୍କ ପ୍ରସ୍ତାବ ପାଇଁ ଧନ୍ୟବାଦ ଜ୍ଞାପନ କରୁଛି। ସେମାନଙ୍କର ଭାବାବେଗ ପ୍ରତି ସମ୍ମାନ ପ୍ରଦର୍ଶନ କରି ଏତଦ୍ଦ୍ବାରା ‘ଖେଳ ରତ୍ନ ଆୱାର୍ଡ’କୁ ‘ମେଜର୍ ଧ୍ୟାନ ଚାନ୍ଦ୍ ଖେଳ ରତ୍ନ ଆୱାର୍ଡ’ କୁହାଯିବ! ଜୟ ହିନ୍ଦ୍!
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଭାରତ ପ୍ରତି ସମ୍ମାନ ଓ ଗୌରବ ଆଣିଥିବା ଅଗ୍ରଣୀ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ମେଜର୍ ଧ୍ୟାନ ଚାନ୍ଦ୍ ଥିଲେ ଅନ୍ୟତମ। ତାଙ୍କ ନାମାନୁସାରେ ଆମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ନାମିତ ହେବା ଯଥାର୍ଥ।
ସୂଚନାଯୋଗ୍ୟ, ୨୦୨୦ ଟୋକିଓ ଅଲିମ୍ପିକ୍ସ୍ରେ ଭାରତୀୟ ହକି ଟିମ୍ର ଚମତ୍କାର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ ପରେ ‘ଖେଳ ରତ୍ନ ଆୱାର୍ଡ’ର ନାମ ପରିବର୍ତ୍ତନ କରିବା ଅନୁରୋଧ ସମାଜିକ ଗଣମାଧ୍ୟମରେ ବହୁଗୁଣିତ ହୋଇଯାଇଥିଲା।