‘ମନ କି ବାତ’ରେ ଦିଲ୍ଲୀ ହିଂସା ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ମୋଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୧ ବର୍ଷର ପ୍ରଥମ ‘ମନ କି ବାତ’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୭୩ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକୁ ମନେ ପକାଇ ମୋଦୀ କହିଛନ୍ତି କି, ୨୬ ଜାନୁଆରୀରେ ତ୍ରିରଙ୍ଗା ସହ ହୋଇଥିବା ଅପମାନ ଦେଶବାସୀଙ୍କୁ ମର୍ମାହତ କରିଛି। ଆମାଗୀ ଦିନକୁ ନୂଆ ଆଶା ଓ ଆଲୋକରେ ଭରିବାକୁ ହେବ। ଆମେ ଗତବର୍ଷ ଅସାଧାରଣ ସଂଯମ ଓ ସାହସର ପରିଚୟ ଦେଇଛୁ। ଏଥର ମଧ୍ୟ ଖୁବ୍ ପରିଶ୍ରମ କରି ସଙ୍କଳ୍ପକୁ ପୂରଣ କରିବାକୁ ପଡ଼ିବ।
ମୋଦୀ ଆହୁରି କହିଛନ୍ତି ଯେ, ସଙ୍କଟ ସମୟରେ ଭାରତ ଆଜି ସମଗ୍ର ବିଶ୍ୱର ସେବା କରିପାରୁଛି। କାରଣ ଆଜି ଔଷଧ ଓ ଭ୍ୟାକ୍ସିନକୁ ନେଇ ଭାରତ ଆତ୍ମନିର୍ଭର। ଚଳିତ ବର୍ଷର ପ୍ରାରମ୍ଭରେ କରୋନା ବିରୋଧୀ ଲଢ଼େଇକୁ ପାଖାପାଖି ବର୍ଷେ ପୁରିଯାଇଛି। କରୋନା ବିରୋଧରେ ଭାରତର ଲଢ଼େଇ ଏକ ଉଦାହରଣ ପାଲଟିଛି। ଏଥିସହିତ ଆମ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ସମଗ୍ର ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଭାରତ ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଟିକା ଲଗାଇସାରିଛି। ଆମେରିକାକୁ ଏହି କାମ କରିବା ଲାଗି ୧୮ ଓ ବ୍ରିଟେନକୁ ୩୬ ଦିନ ଲାଗିଥିଲା।
‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଲେଖିବା ପାଇଁ ମୋଦୀ ଯୁବପୀଢ଼ୀଙ୍କୁ ଆହ୍ୱାନ ଦେଇଛନ୍ତି। ନିଜ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ବୀର ଗାଥାକୁ ବହିରେ ଲେଖିବାକୁ କହିଛନ୍ତି। କାହିଁକି ନା ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ଯାଉଥିବାବେଳେ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଏହା ଏକ ବିଶେଷ ଶ୍ରଦ୍ଧାଞ୍ଜଳି ହେବ।