ଅଧ୍ୟାପକ ପୁଞ୍ଜିଲାଲ ରଚିଥିଲେ ପାର୍ସଲ ବୋମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟର ପ୍ରଥମ ଓ ବିରଳ ହୃଦୟ ବିଦାରକ ଘଟଣା ଥିଲା ପାଟଣାଗଡର ପାର୍ସଲ ବୋମା । ରହସ୍ୟ ଜାଣିବାକୁ ଓଡ଼ିଶାର ସମସ୍ତେ ବ୍ୟାକୁଳ ଥିବା ବେଳେ କ୍ରାଇମବ୍ରାଞ୍ଚ ଦୁଇ ମାସ ପରେ ଅଧ୍ୟାପକ ପୁଞ୍ଜିଲାଲକୁ ଗିରଫ କରିବା ସହ ତାଙ୍କ ଅନ୍ୟ ସହଯୋଗୀ ଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।
ପୁଲିସ ଦୁଇଦିନ ତଳୁ ସନ୍ଦେହରେ କଲେଜର ଅଧ୍ୟାପକଙ୍କୁ ନେଇ ଅଟକ ରଖି ତଦନ୍ତ ଚଲାଇଥିଲା। ଅଧ୍ୟାପକଙ୍କ ଘରୁ ପୁଲିସ ଅଧ ବ୍ୟାଗ୍ ବାରୁଦ ଓ କିଛି ବମ ଜବତ କରିଛି। ଅଧ୍ୟାପକଙ୍କ ରାମପୁରସ୍ଥିତ ପୈତୃକ ଘରୁ ଏହି ବାରୁଦ ବ୍ୟାଗ୍ ଜବତ କରିବାପରେ କ୍ରାଇମବ୍ରାଞ୍ଚର ସନ୍ଦେହ ଘେରକୁ ଆସିଥିଲେ ଅଧ୍ୟାପକ ପୁଞ୍ଜିଲାଲଙ୍କୁ ।
ଗିଫ୍ଟ ପ୍ୟାକେଟ୍ କିଏ ପଠାଇଥିଲା ତାକୁ ନେଇ ଗତ ଦୁଇ ମାସ ଧରି ଅନ୍ଧାରରେ ବାଡି ବୁଲାଉଥିବା ପୁଲିସକୁ ବଡ ସୁରାକ ଯୋଗାଇଛି ଅଧ୍ୟାପକଙ୍କ ଘରୁ ଜବତ ହୋଇଥିବା ବାରୁଦ । ଏହି ଅଧ୍ୟାପକ ଜଣକ ସ୍ଥାନୀୟ ଭଇଁଷା କଲେଜର ଇଂରାଜୀ ଅଧ୍ୟାପକ । ପୁଲିସର କହିବା ଅନୁସାରେ ସେହି କଲେଜକୁ ସୌମ୍ୟଶେଖରଙ୍କ ମାଆ, ଅଧ୍ୟକ୍ଷା ହୋଇ ଆସିବା ପରେ ପୂର୍ବରୁ ସେହି କଲେଜର ଅଧ୍ୟକ୍ଷ ଥିବା ଏହି ଅଧ୍ୟାପକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ।
କ୍ରାଇମବ୍ରାଞ୍ଚ ଅଧିକାରୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଲଗାତର ଜେରା କରିଥିଲେ । ଆଉ ଏହାରି ଆଧାରରେ ଆଜି ବୋମା ନିଷ୍କ୍ରିୟକାରୀ ଦଳ ଅଧ୍ୟାପକଙ୍କ ଘରେ ଚଢାଉ କରି ଅଧ ବ୍ୟାଗ୍ ବାରୁଦ ଜବତ କରିଛି । ପାଟଣାଗଡ ଭଇଁସା କଲେଜରେ କାର୍ଯ୍ୟନିର୍ବହୀ ଅଧ୍ୟକ୍ଷ ଥିଲେ ପୁଞ୍ଜିଲାଲ ମେହେର । ସ୍ଥାୟୀ ଭାବବେ ଅଧ୍ୟକ୍ଷ ପଦରେ ରହିବା ଲାଗି ତାଙ୍କର ଅଭିଳାଶା ରହିଥିଲା । ମାତ୍ର ତାଙ୍କ ସ୍ଥାନରେ ମୃତ ସୌମ୍ୟଶେଖରଙ୍କ ମାଆ କଲେଜ ଅଧ୍ୟକ୍ଷା ହୋଇଯାଇଥିଲେ। ଯେଉଁଥିପାଇଁ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ପର୍ସଲ ବୋମା ପଠାଇ ପରିବାରକୁ ସଫା କରିଦେବା ଉଦ୍ଦେଶ୍ୟରେ ହତ୍ୟା ଷଡଯନ୍ତ୍ର ରଚିଥାଇପାରନ୍ତି ପୁଞ୍ଜିଲାଲ ମେହେର ।
ମାତ୍ର ବିବାଦ ସେଭଳି ଗୁରୁତର ନଥିଲା ବୋଲି କହିଛନ୍ତି ମୃତ ସୌମ୍ୟଶେଖରଙ୍କ ମାଆ ।
ଘଟଣା କ୍ରମେ
ଗତ ଫେବ୍ରୁଆରୀ ୨୩ ତାରିଖରେ ନବ ବିବାହିତ ଦମ୍ପତିଙ୍କ ପାଇଁ ପାଟଣାଗଡରେ ପହଞ୍ଚିଥିଲା ଏକ ପାର୍ସଲ ଉପହାର । ଯାହାକୁ ଖୋଲିବାବେଳେ ବିସ୍ପୋରଣ ଯୋଗୁଁ ନବ ବିବାହିତ ବର ଓ ସଂପର୍କୀୟ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ହୋଇପଡିଥିଲେ ନବ ବିବାହିତା ବଧୁ । ପର୍ସଲ ବୋମା ଘଟଣାକୁ ଗତକାଲି ଦୁଇମାସ ପୁରିଯାଇଛି। କ୍ରାଇମବ୍ରାଞ୍ଚ ଦୁଇମାସ ପରେ ଏହି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ।