ଜେଏନୟୁର ନାମ ବଦଳାଇବାକୁ ପ୍ରସ୍ତାବ ଦେଲେ ବିଜେପି ନେତା
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଦେଶର ଅନ୍ୟତମ ଖ୍ୟାତିସମ୍ପନ୍ନ ଶିକ୍ଷାନୁଷ୍ଠାନ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ନାମ ପରିବର୍ତ୍ତନ କରି ବିବେକାନନ୍ଦ ବିଶ୍ୱବିଦ୍ୟାଳୟ ଭାବେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ସିଟି ରବି। ଫଳରେ ଏହି ଦେଶଭକ୍ତ ସନ୍ଥଙ୍କ ପ୍ରେରଣାରେ ଆଗାମୀ ପିଢି ଅନୁପ୍ରାଣୀତ ହେବେ ବୋଲି ସେ ଟ୍ୱିଟ୍ କରି କହିଛନ୍ତି। ଚାରିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେଏନୟୁ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କର ଏକ ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ।
ଏହି ଅବସରରେ ସେ କହିଥିଲେ ଯେ, ବିବେକାନନ୍ଦ ହେଉଛନ୍ତି ଯୁବପିଢିର ବ୍ରାଣ୍ଡ୍ ଆମ୍ବାସଡର। ଲୋକଙ୍କ ମଧ୍ୟରେ ବୈଚାରିକ ମତଭେଦ ଦେଖାଦେଇପାରେ ହେଲେ ଦେଶର ହିତ ମାମଲାରେ ବିରୋଧ ପ୍ରଦର୍ଶନ କରିବା ଠିକ୍ ନୁହେଁ। ଏହାଛଡ଼ା ଏହି ପ୍ରତିମୂର୍ତ୍ତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହସ ଏବଂ କରୁଣା ଭାବ ଉଦ୍ରେକ କରିବ ବୋଲି ମୋଦୀ କହିଥିଲେ। ଏହାଛଡ଼ା ଲଭ୍ ଜିହାଦ ରୋକିବାକୁ ଆଇନ୍ କଡ଼ାକଡ଼ି କରିବା ଦରକାର ବୋଲି ସିଟି ରବି କହିଛନ୍ତି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ‘ଆହ୍ଲାବାଦ’ ସହରର ନାମ ପରିବର୍ତ୍ତନ କରାଯାଇ ‘ପ୍ରୟାଗରାଜ’ ଏବଂ ମୋଗଲସରାଇ ରେଳଷ୍ଟେସନର ନାମକୁ ‘ଦୀନଦୟାଲ ଉପାଧ୍ୟାୟ’ ରେଳଷ୍ଟେସନ ନାମରେ ନାମିତ କରାଯାଇଛି।