ଚତୁର୍ଥ ଥର ୟୁଏନରେ ରୁଷ ବିରୋଧରେ ଗଲାନି ଭାରତ

0

ରୁଷ ବିରୋଧରେ ଗଲାନି ଭାରତ। ପ୍ରତିଥର ପରି ଏଥର ମଧ୍ୟ ମତଦାନରୁ ଦୂରେଇ ରହିଲା ଭାରତ। ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ଯାଞ୍ଚ ପ୍ରସ୍ତାବକୁ ନେଇ ଜାତିସଂଘରେ ହୋଇଥିବା ମତଦାନରୁ ଭାରତ ଓହରି ଯାଇଛି। ତେବେ ୟୁଏନଏଚଆରସି ୟୁକ୍ରେନ ବିରୋଧରେ ରୁଷର ସୈନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସ୍ଵତନ୍ତ୍ର ଅନ୍ତର୍ଜାତୀୟ ଯାଞ୍ଚ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଛି।

ମିଳିତ ଜାତିସଂଘର ୪୭ ସଦସ୍ୟ ବିଶିଷ୍ଟ ଏହି ପରିଷଦରେ ରୁଷ ବିରୋଧରେ ମତଦାନ ହୋଇଛି। ପ୍ରସ୍ତାବ ସପକ୍ଷରେ ୩୨ ଭୋଟ୍ ପଡିଥିବା ବେଳେ ଭାରତ, ଚୀନ, ପାକିସ୍ତାନ, ସୁଦାନ ଏବଂ ଭେନେଜୁଏଲା ସହିତ ୧୩ ଦେଶ ମତଦାନରୁ ଦୂରେଇ ରହିଥିଲେ।

ପ୍ରସ୍ତାବ ସପକ୍ଷରେ ମତଦାନ କରିଥିବା ଦେଶ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ, ଜାପାନା, ୟୁଏଇ, ବ୍ରିଟେନ ଏବଂ ଆମେରିକା ପରି ଦେଶ ସାମିଲ୍। ପରିଷଦ ଟ୍ଵିଟ୍ କରି ଜଣାଇଛି ଯେ, ୟୁକ୍ରେନ ବିରୋଧରେ ରୁଷର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ତୁରନ୍ତ ସ୍ଵତନ୍ତ୍ର ଅନ୍ତର୍ଜାତୀୟ ଯାଞ୍ଚ ଆୟୋଗ ଗଠନ କରିବାକୁ ନିର୍ଣ୍ଣୟ ନିଆଯାଇଛି। ଭାରତ ୧୫ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବରୁ ଦୂରେଇ ରହିଥିଲା। ସେହି ପରି ୧୯୩ ସଦସ୍ୟ ବିଶିଷ୍ଟ ମହାସଭାରେ ପ୍ରସ୍ତାବ ଉପରେ ମତଦାନରୁ ମଧ୍ୟ ଭାରତ ଓହରି ଯାଇଥିଲା।

Leave a comment