ଗ୍ରୀସ୍ରେ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ଅନର’ରେ ସମ୍ମାନିତ ହେଲେ ପିଏମ ମୋଦୀ
ଗ୍ରୀସ୍ ପିଏମ ମୋଦୀଙ୍କୁ ଏହାର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରିଛି । ଆଜି ଏଥେନ୍ସରେ ଗ୍ରୀସର ରାଷ୍ଟ୍ରପତି କତେରିନା ଏନ. ସକେଲାରୋପୋଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ଅନର’ରେ ସମ୍ମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନ ପାଇଁ ଟ୍ବିଟର(X)ରେ ଗ୍ରୀସକୁ ଧନ୍ୟବାଦ ଜଣାଇଛନ୍ତି (x) ।
ସେ ଲେଖିଛନ୍ତି, ମୁଁ ରାଷ୍ଟ୍ରପତି କତେରିନା ଏନ ସକେଲାରୋପୋଲୁ, ଗ୍ରୀସର ସରକାର, ଏବଂ ଲୋକଙ୍କୁ ଧନ୍ୟବାଦ ଦେଉଛି । ଏହା ଭାରତ ପ୍ରତି ଗ୍ରୀସବାସୀଙ୍କ ସମ୍ମାନ ପ୍ରଦର୍ଶିତ କରୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘ ୪୦ ବର୍ଷର ବ୍ୟବଧାନ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଗ୍ରୀସକୁ ଆସିଛନ୍ତି । ତଥାପି, ଆମର ସମ୍ପର୍କର ଗଭୀରତା ହ୍ରାସ ହୋଇନାହିଁ, କିମ୍ବା ସମ୍ପର୍କର ଉଷ୍ମତା ହ୍ରାସ ହୋଇନାହିଁ । ଗ୍ରୀସ୍ ଏବଂ ଭାରତ ହେଉଛି ବିଶ୍ୱର ୨ ପୁରାତନ ସଭ୍ୟତା, ୨ ପୁରାତନ ଗଣତାନ୍ତ୍ରିକ ଚିନ୍ତାଧାରା ଏବଂ ୨ ପୁରାତନ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ମଧ୍ୟରେ ଏକ ସ୍ବାଭାବିକ ମେଳ । ଆମର ସମ୍ପର୍କର ମୂଳଦୁଆ ପ୍ରାଚୀନ ଏବଂ ମଜବୁତ୍ ।
ବୈଦେଶିକ ମନ୍ତ୍ରଣାଳୟ ଏହା ବିଷୟରେ କହିଛି ଯେ, ‘ଅର୍ଡର ଅଫ୍ ଅନର’ର ସ୍ଥାପନା ୧୯୭୫ ରେ କରାଯାଇଥିଲା । ଏହି ସମ୍ମାନଜନକ ପୁରସ୍କାରକୁ ଗ୍ରୀସ୍ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥାଏ, ଯିଏକି ନିଜର ମହତ୍ବପୂର୍ଣ୍ଣ ପଦବୀ କାରଣରୁ ଗ୍ରୀସ୍ର ଭୁମିକାକୁ ବଢାଇବା ପାଇଁ ଯୋଗଦାନ ଦେଇଛନ୍ତି ।
ଗ୍ରୀସ ପକ୍ଷରୁ ଗ୍ରୀକ୍-ଭାରତୀୟ ବନ୍ଧୁତ୍ୱର ରଣନୈତିକ ପ୍ରୋତ୍ସାହନ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଣ୍ଣାୟକ ଅବଦାନକୁ ସ୍ୱୀକୃତି ଦେଇ ସମ୍ମାନିତ କରାଯାଇଛି । ଗ୍ରୀସ୍ କହିଛି ଯେ ଏହି ଗସ୍ତ ଅବସରରେ ଗ୍ରୀକ୍ ରାଜ୍ୟ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିଛି ।
ଗ୍ରୀସ୍ ତରଫରୁ ଦିଆଯାଇଥିବା ମାନପତ୍ରରେ କୁହାଯାଇଛି ଯେ, ସେ ଜଣେ ଏପରି ରାଜନେତା, ଯିଏ ନିଜ ଦେଶକୁ ବିଶ୍ବ ସ୍ତରରେ ପହଞ୍ଚିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ଏବଂ ଯିଏ ଭାରତର ଆର୍ଥିକ ପ୍ରଗତି ଏବଂ ସମୃଦ୍ଧତା ପାଇଁ ବ୍ୟବସ୍ଥିତ ଭାବରେ କାର୍ଯ୍ୟ କରୁଛନ୍ତି । ଏଥିସହ କୁହାଯାଇଛି ଯେ, ମୋଦୀ ଏପରି ଜଣେ ରାଜନେତା ଯିଏ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନକୁ ଆନ୍ତର୍ଜାତୀୟ ସ୍ତରରେ ସର୍ବୋଚ୍ଚ ପ୍ରାଥମିକତାକୁ ଆଣିଛନ୍ତି ।