ଇକୋ ରିଟ୍ରିଟ୍‌ରେ ଭାସମାନ ରେସ୍ତୋରାଁ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଦାରିଙ୍ଗବାଡ଼ିରେ ପ୍ରଥମଥର ଇକୋ-ରିଟ୍ରିଟ୍‌ର ପରିକଳ୍ପନା କରାଯାଇଛି। ମିଦୁବନ୍ଧ ଜଳପ୍ରପାତ, ମଣ୍ଡାସୁର ଭ୍ୟାଲି ବୁଲିବା ସହ ସରସ୍ବତୀ ଗୁମ୍ଫାକୁ ପଦଯାତ୍ରା କରି‌ବାର ସୁଯୋଗ ମିଳିବ। ଟିକରପଡ଼ା ବନ୍ୟଜନ୍ତୁ ଅଭୟାରଣ୍ୟକୁ ଫରେଷ୍ଟ୍‌ ଟ୍ରାଏଲ୍‌ ସହ ଜଙ୍ଗଲରେ ଯୋଗ ଓ ପ୍ରାଣାୟମ କରିବେ ପର୍ଯ୍ୟଟକ। ମହାନଦୀରେ ବୋଟିଂ, ଦେଓଧର ଜଳପ୍ରପାତ, ଚମ୍ପେଶ୍ବର ମନ୍ଦିର ଭ୍ରମଣ ଓ ପାଖ ପବିତ୍ର ପୋଖରୀରେ କଇଁଛମାନେ ନିର୍ଦ୍ବନ୍ଦ୍ବରେ ବୁଲୁଥିବା ଦୃଶ୍ୟ ଉପଭୋଗ କରି‌ବାର ସୁଯୋଗ ମିଳିବ। ହୀରାକୁଦ ଇକୋ-ରିଟ୍ରିଟ୍‌ ଅବସରରେ ହୁମା ମନ୍ଦିର ଭ୍ରମଣ ସହ ଜବାହାର ଉଦ୍ୟାନରୁ ଗାନ୍ଧୀ ମିନାର ମଧ୍ୟରେ ଚାଲୁଥିବା ରୋପ-ୱେରେ ହୀରାକୁଦର ମନୋରମ ଦୃଶ୍ୟ ଉପଭୋଗ କରିହେବ। ଦେବ୍ରିଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟରେ ସଫାରିର ମଜା ନେବା ସହ ୪୦ ପ୍ରଜାତିର ଗଛ, ୨୦୦ ପ୍ରଜାତିର ପକ୍ଷୀ, ୪୦ ପ୍ରଜାତିର ସରୀସୃପ, ୪୨ ପ୍ରଜାତିର ମାଛ, ୮୫ ପ୍ରଜାତିର ପ୍ରଜାପତି, ୩୮ ପ୍ରଜାତିର ବୁଢ଼ିଆଣୀ, ୧୨ ପ୍ରଜାତିର ଉଭୟଚର ଜୀବଙ୍କୁ ଉପଭୋଗ କରିବାର ସୁଯୋଗ ମିଳିବ।କୋଣାର୍କସ୍ଥିତ ରାମଚଣ୍ଡୀ ବେଳାଭୂମିରେ ଇକୋ ରିଟ୍ରିଟ୍‌ର ସଫଳତା ପ‌ରେ ଚଳିତ ବର୍ଷ ୫ଟି ସ୍ଥାନରେ ଏହାର ଆୟୋଜନ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଛି। ଡିସେମ୍ବର ୮ ତାରିଖରୁ ଏହାର ଶୁଭାରମ୍ଭ ହେବ। ବିଭିନ୍ନ ସ୍ଥାନରେ ୮ହଜାରରୁ ନେଇ ୨୫ ହଜାର ଟଙ୍କା ମୂଲ୍ୟର କଟେଜ୍ ଉପଲବ୍ଧ ହେବ। ପୂର୍ବବର୍ଷ ଭଳି ଡିଲକ୍ସ, ରୟାଲ ଓ ପ୍ରିମିୟମ ଭଳି ବିଭିନ୍ନ ଶ୍ରେଣୀରେ କଟେଜ୍‌ଗୁଡ଼ିକୁ ବିଭକ୍ତ କରାଯାଇଛି। ରନ୍‌ ଅଫ୍‌ କଚ୍‌ କୋଣାର୍କ ସମେତ ହୀରାକୁଦ, ଦାରିଙ୍ଗବାଡ଼ି ଓ ସାତକୋଶିଆର ଦାୟିତ୍ବ ନେଇଥିବା ବେଳେ ଲାଲୁଜୀ ଆଣ୍ଡ୍‌ ସନ୍ସ ଭିତରକନିକାର ପରିଚାଳନା ଦାୟିତ୍ବ ନେଇଛି।

Leave a comment