ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା
ଓଡିଶା ଫାଷ୍ଟ( ବ୍ୟୁରୋ):ଫେବୃଆରୀ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଚଳିତବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏଥିପାଇଁ ୩୦୭ ନୋଡାଲ ସେଣ୍ଟର ଓ ୨୮୮୮ ପରୀକ୍ଷା କେନ୍ଦ୍ର ଧାର୍ଯ୍ୟ ହୋଇଛି। ୧ ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ କାର୍ଯ୍ୟ ଜାରି କରାଯାଇଛି । ୨୨ ପୁଲିସ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତି ହୋଇଛି । ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା ମଧ୍ୟ କରାଯାଇଛି । ୪ ରୁ ୧୨ ତାରିଖ ମଧ୍ୟରେ ସୁପରିଟେଣ୍ଡେଣ୍ଟ ଓ ନୋଡାଲ ଇନଚାର୍ଜଙ୍କୁ ତାଲିମ ଦିଆଯିବ । ମାଟ୍ରିକ୍ ପରୀକ୍ଷା ଆରମ୍ଭ ଅର୍ଥାତ ୧୯ ତାରିଖ ଦିନ ପ୍ରଥମ ଭାଷା ଓଡିଆ ପରୀକ୍ଷା ରହିଛି । ଏହାପରେ ୨୨ରେ ଇଂରାଜୀ ପରୀକ୍ଷା, ୨୪ରେ ସଂସ୍କୃତ/ ହିନ୍ଦୀ ପରୀକ୍ଷା, ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ। ପରୀକ୍ଷା ସମୟ ସକାଳ ୧୦ଟାରୁ ଦିନ ୧୨ଟା ୩୦ ଯାଏଁ ରହିବ। ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ।