ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ, ୨୨ ବର୍ଷର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବିଜେପି

0

ଓଡିଶା ଫାଷ୍ଟ( ବ୍ୟୁରୋ):ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଯାଇଛି ପ୍ରଚାର। ଆସନ୍ତାକାଲି ତିନିଦଳର ପ୍ରାର୍ଥୀଙ୍କ ଭାଗ୍ୟ ଜନତା ନିର୍ଧାରଣ କରିବେ। ୮ ତାରିଖରେ ଦିଲ୍ଲୀର ୭୦ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଦିଲ୍ଲୀବାସୀ ପୁଣିଥରେ ଆପକୁ ବାଛିବେ ନା ୨୨ ବର୍ଷ ଦିଲ୍ଲୀ ଶାସନ ଅପେକ୍ଷାରେ ଥିବା ବିଜେପିକୁ ବାଛିବେ ତା’ ଉପରେ ସମସ୍ତଙ୍କ ନଜର। ଦିଲ୍ଲୀରେ ଏଥର ବିଜେପି ଓ ଆପ ମଧ୍ୟରେ କଡ଼ା ଟକ୍କର ହେଉଛି। କଂଗ୍ରେସ ତୃତୀୟ ସ୍ଥାନରେ ରହିଛି। ଗତକାଲି ବିଜେପି ପକ୍ଷରୁ ଅମିତ ଶାହ ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ଶାହ ସୀମାପୁର, ହରି ନଗର ଓ ମଦିପୁର ନିର୍ବାଚନ ମଣ୍ଡଳୀରେ ୩ଟି ରାଲି କରି ଭୋଟରକୁ ମନେଇବାକୁ ଚେଷ୍ଟା କରିଛନ୍ତି। ଶାହଙ୍କ ବ୍ୟତୀତ ମନୋଜ ତିୱାରୀ, ଗୌତମ ଗମ୍ଭୀର ଓ ମୀନାକ୍ଷୀ ଲେଖି ପ୍ରମୁଖ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି।

ନିକଟରେ ବିଜେପିରେ ଯୋଗଦେଇଥିବା ଶଟଲର ସାଇନା ନେହ୍ୱାଲ ମଧ୍ୟ ପ୍ରଚାର କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୁଣ୍ଡକା ଓ ସୁଲତାନପୁର ମାଜ୍ରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶେଷ ସ୍ପର୍ଶ ଦେଇଛନ୍ତି। ଆପ ପକ୍ଷରୁ ମନୀଷ ସିସୋଦିଆ ଓ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଚାର କରିଛନ୍ତି। ପ୍ରତାପଗଞ୍ଜରୁ ପ୍ରାର୍ଥୀ ହୋଇଥିବା ସିସୋଦିଆ ପଦଯାତ୍ରା କରି ଭୋଟରକୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିଛନ୍ତି। କଂଗ୍ରେସ ପାଇଁ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଦଳର ବହୁ ବରିଷ୍ଠ ନେତା ଶେଷ ଦିନରେ ପ୍ରଚାର କରିଥିଲେ। ବିଜେପି ଏଥର ୨୦୦ ସାଂସଦ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଥିଲା। ଦଳର ସାଂସଦମାନେ ବସ୍ତିବସ୍ତି ବୁଲି ଦଳୀୟ ନେତାଙ୍କ ପ୍ରଚାର କରିଥିଲେ। ୨୦୧୫ ନିର୍ବାଚନରେ ଆପ୍‌ ୭୦ଟି ବିଧାନସଭା ଆସନରୁ ୬୭ରେ ବାଜିମାତ କରିଥିଲା। ବିଜେପି ୩ଟି ଆସନ ଜିତିଥିବାବେଳେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା।

Leave a comment