ଚନ୍ଦ୍ରଯାନ-୩ର ବଡ଼ ସଫଳତା, ପ୍ରପଲ୍‌ସନ୍‌ ମଡ୍ୟୁଲ୍‌ରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

0

ଚନ୍ଦ୍ରଯାନ-୩ର ବଡ଼ ସଫଳତା। ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ। ପ୍ରଜ୍ଞାନ ରୋଭର୍‌ରୁ ସଫଳତାର ସହ ଅଲଗା ହୋଇଛି। ଅଗଷ୍ଟ ୨୩ରେ ସପ୍ଟ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରହିଛି। ୩୪ ଦିନ ଧରି ଏକାଠି ମହାକାଶ ଯାତ୍ରା କରିବା ପରେ ଗୁରୁବାର ଲ୍ୟାଣ୍ଡର୍‌ ବିକ୍ରମ ଏବଂ ପ୍ରପଲ୍‌ସନ୍‌ ମଡ୍ୟୁଲ୍‌ ପରସ୍ପରଠାରୁ ପୃଥକ୍‌ ହୋଇଛନ୍ତି।

ଏହାପରେ ରୋଭର ‘ପ୍ରଜ୍ଞା’କୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇଯିବ ବିକ୍ରମ। ପ୍ରପଲ୍‌ସନ୍‌ ମଡ୍ୟୁଲ ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ। ଦେଶର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ବାବଦରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଏହା କୁହାଯାଇଛି। ବର୍ତ୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ର ଚାରିପଟେ ଅଣ୍ଡାକାର ପରିବର୍ତ୍ତେ ଗୋଲାକାର ଭାବେ ଘୂରୁଛି । ଏଥିସହ ଚନ୍ଦ୍ରଠାରୁ ଚନ୍ଦ୍ରଯାନର ଦୂରତା ବି ହ୍ରାସ ପାଇଛି ।

ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର୍‌, ରୋଭର୍‌ ଓ ପ୍ରପଲ୍‌ସନ୍‌ ମଡ୍ୟୁଲ୍‌ ୩ଟି ମୁଖ୍ୟ ଅଂଶ ରହିଛି । ଲ୍ୟାଣ୍ଡର୍‌ଠାରୁ ପୃଥକ୍‌ ହେବା ପରେ ପ୍ରପଲ୍‌ସନ୍‌ ମଡ୍ୟୁଲ୍‌ ଚନ୍ଦ୍ରର କକ୍ଷରେ ରହି ପୃଥିବୀରୁ ଆସିବାକୁ ଥିବା ବିକିରଣର ଅଧ୍ୟୟନ କରିବ । ଲ୍ୟାଣ୍ଡର୍‌ ଓ ରୋଭର୍‌ ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ଖଣିଜ ଓ ପାଣି ଆଦି ଖୋଜିବାରେ ଲାଗିପଡ଼ିବେ । ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୫ଟା ୪୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ୍‌ କରିବ । ଏଥିପାଇଁ ଦେଶବାସୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହାପରେ ସାଉଥ୍‌ ପୋଲ୍‌ରେ ଚନ୍ଦ୍ରଯାନର ସଫ୍ଟ ଲ୍ୟାଣ୍ଡିଙ୍ଗ୍‌ ନିମନ୍ତେ ଏକାଧିକ ଜଟିଳ ବ୍ରେକିଙ୍ଗ୍‌ ମାନ୍ୟୁଭର୍‌ ଉପରେ କାର୍ଯ୍ୟ କରାଯିବ । ପ୍ରପଲ୍‌ସନ୍‌ ମଡ୍ୟୁଲ୍‌ର କାମ ହେଉଛି ଲ୍ୟାଣ୍ଡର ଓ ରୋଭରକୁ ଚନ୍ଦ୍ରର ଅର୍ବିଟ୍‌ ବା କକ୍ଷରେ ୧୦୦ କିଲୋମିଟର ଉପରେ ଛାଡ଼ିବା । ଏହି ମଡ୍ୟୁଲ୍‌ ହିଁ ଉଭୟଙ୍କୁ ପୃଥିବୀ କକ୍ଷରୁ ଆଣି ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲା । ଲ୍ୟାଣ୍ଡର୍‌ଠାରୁ ଅଲଗା ହେବା ପରେ ଏହା ଚନ୍ଦ୍ରର କକ୍ଷରେ ରହି ଉଭୟ ଲ୍ୟାଣ୍ଡର୍‌ ଓ ରୋଭର ସହ ଯୋଗାଯୋଗ ରଖିବାକୁ ଚକ୍କର କାଟିବ ।

ଉଲ୍ଲେଖଯୋଗ୍ୟ, ୨୨ ଦିନର ଯାତ୍ରା ପରେ ଚନ୍ଦ୍ରଯାନ ଅଗଷ୍ଟ ୫ ସନ୍ଧ୍ୟା ୭ଟା ୧୫ରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିଥିଲା । ସେତେବେଳେ ଯାନଟି ଯେମିତି ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି କ୍ଷେତ୍ରକୁ ଆସିବ, ସେଥିପାଇଁ ତାହାର ବେଗ କମାଯାଇଥିଲା । ଚନ୍ଦ୍ରଯାନ ଯେତେବେଳେ ପ୍ରଥମ ଥର ପାଇଁ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା, ତାହା ସର୍ବନିମ୍ନ ୧୬୪ କିମି ଓ ସର୍ବାଧିକ ୧୮,୦୭୪ କିମି ଦୂରତାରେ ଚନ୍ଦ୍ରର ପରିକ୍ରମା କରୁଥିଲା । କକ୍ଷପଥରେ ପ୍ରବେଶ ପରେ ଚନ୍ଦ୍ରଯାନରେ ଲାଗିଥିବା କ୍ୟାମେରା ଚନ୍ଦ୍ରର ଫଟୋ ଉତ୍ତୋଳନ କରିଥିଲା । ଇସ୍ରୋ ନିଜ ୱେବ୍‌ସାଇଟ୍‌ରେ ଏହାର ଫଟୋ ପୋଷ୍ଟ କରିଥିଲା ।

Leave a comment