ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ବିଜେଡିର ଅଭିଯାନ; କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍
ଓଡ଼ିଆ ଝିଅ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ବିଜେଡିର ଚାଲିଛି ଅଭିଯାନ । ଦ୍ରୌପଦୀଙ୍କୁ ଜିତେଇବା ପାଇଁ ଅଣ୍ଟା ଭିଡିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିଜେଡି ଟିମ ସମସ୍ତଙ୍କୁ ଭେଟି ଦ୍ରୌପଦୀଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରୁଛନ୍ତି । ଏହି କ୍ରମରେ ଆଜି କଂଗ୍ରେସ ବିଧାୟକ ସି.ଏସ୍. ରାଜନ ଏକ୍କାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି ବିଜେଡି ଟିମ୍ । ଟିମ୍ରେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ଓ ରାଜକିଶୋର ଦାସ ଅଛନ୍ତି ।
ସେମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ରାଜନ ଏକ୍କାଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବିଜେଡି ଟିମ୍ ବାର୍ତ୍ତା ଦେଇଛନ୍ତି । ବିପୁଳ ଭୋଟ୍ ଦେଇ ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ସେମାନେ ରାଜନ ଏକ୍କାଙ୍କୁ ନିବେଦନ କରିଛନ୍ତି । ରାଜନ ଏକ୍କା ନିଜେ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ଅଧିକାର ପାଇଁ ଭୋଟ୍ ଦେବାକୁ ସେମାନେ ଅନୁରୋଧ କଲେ ।
ସେପଟେ ରାଜନ ଏକ୍କା କହିଛନ୍ତି କଂଗ୍ରେସର ନୀତି, ଆଦର୍ଶ ବିଜେପିଠାରୁ ଅଲଗା । କଂଗ୍ରେସ ଗାନ୍ଧୀ ଆଦର୍ଶରେ ଚାଲିଛି । ଯଶଓ୍ବନ୍ତ ସିହ୍ନାଙ୍କୁ ଦଳ ବହୁ ଆଗରୁ ସମର୍ଥନ ଦେବ ବୋଲି କହିଛି । ତେଣୁ ଦ୍ରୌପଦୀଙ୍କୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ରାଜନ ଏକ୍କା କହିଛନ୍ତି ।