ପୋଲିସ ହାତରେ ଧରାପଡିଗଲେ ରସିକିଆ ଭୂଗୋଳ ସାର
ପ୍ରେମ ନ କଲେ ପରୀକ୍ଷାରେ ଫେଲ୍ କରିଦେବେ, ପାର୍କ ଯିବାକୁ ବାଧ୍ୟ କରୁଥିଲେ
ଭୂଗୋଳ ଶିକ୍ଷକଙ୍କ କଳା କାରନାମା । ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିଲେ । ପାର୍କ ବୁଲି ଯିବାକୁ ଓ ଏକୁଟିଆ ଘରକୁ ଆସିବାକୁ ବାଧ୍ୟ କରୁଥିଲେ । ଏପରିକି ପ୍ରେମ ନ କଲେ ପରୀକ୍ଷାରେ ଫେଲ୍ କରି ଦେବାକୁ ଧମକ ଦେଉଥିଲେ । ଏଭଳି ଜଣେ ରସିକିଆ ଶିକ୍ଷକଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ । ତାଙ୍କ ନାମ କାଳୁ ଓରଫ କାଳୀଚରଣ ବଡ଼ଜେନା(୨୮) । ଘର ଖୋର୍ଦ୍ଧା ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ । ସେ ଭରତପୁର ପ୍ଲଟ୍ ନଂ-୩୨୦ରେ ରହୁଥିଲେ ।
ପୁଲିସ ସୂଚନା ଅନୁଯାୟୀ, କାଳୀଚରଣ ଅବିବାହିତ । ସେ ଭରତପୁରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଭୂଗୋଳ ପଢ଼ାନ୍ତି । ଏହି ବିଦ୍ୟାଳୟରେ ପଢ଼ୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍ୱପ୍ନା(ଛଦ୍ମନାମ-୧୫ବର୍ଷ)ଙ୍କ ପ୍ରେମରେ ପଡ଼ି ଯାଇଥିଲେ କାଳୀଚରଣ । ସ୍ୱପ୍ନାଙ୍କ ସାଙ୍ଗ ଜରିଆରେ ସେ ପ୍ରଥମେ ପ୍ରେମ ନିବେଦନ କରିଥିଲେ । ହେଲେ ସ୍ୱପ୍ନା କାଳୀଚରଣଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହାପରେ କାଳୀଚରଣ ସିଧାସଳଖ ସ୍ୱପ୍ନାଙ୍କୁ ପ୍ରେମ ନିବେଦନ କରିଥିଲେ । ଏନେଇ ସ୍ୱପ୍ନା ପ୍ରଧାନଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଧାନ ଶିକ୍ଷକ କାଳୀଚରଣଙ୍କୁ ତାଗିଦ କରିଥିଲେ । ହେଲେ ସ୍ୱପ୍ନାଙ୍କ ପ୍ରେମରେ ପାଗଳ ହୋଇ ପଡ଼ିଥିବା କାଳୀଚରଣ ତାଙ୍କ ପିଛା ଛାଡ଼ି ନଥିଲେ । ସ୍ୱପ୍ନାଙ୍କ ଅଜାଣତରେ ତାଙ୍କ ଫଟୋ ଉଠାଇ ନେଇଥିଲେ । ସ୍ୱପ୍ନା ଏହା ଜାଣିବା ପରେ କାଳୀଚରଣଙ୍କୁ ଡିଲିଟ୍ କରିବାକୁ କହିଥିଲେ ମଧ୍ୟ ସେ ଫଟୋ ଡିଲିଟ୍ କରୁ ନଥିଲେ । ଏହାପରେ କାଳୀଚରଣ ସ୍ୱପ୍ନାଙ୍କୁ ବାଟରେ ଘାଟରେ ଅଟକାଇ ପ୍ରେମ ନିବେଦନ କରିବା ଆରମ୍ଭ କରି ଦେଇଥିଲେ । ଶ୍ରେଣୀରେ ତାଙ୍କ ଟେବୁଲରେ ମଧ୍ୟ ଯାବତୀୟ ଲେଖା ଲେଖୁଥିଲେ ।
ପରୀକ୍ଷା ସମୟରେ ସ୍ୱପ୍ନାଙ୍କ ହ୍ୱାଟ୍ସଆପ୍କୁ ନିଜ ଆଡ଼ୁ ପ୍ରଶ୍ନପତ୍ର ପଠାଇ ଏହା ବଦଳରେ କ’ଣ ମୋତେ ଦେବ ବୋଲି କହୁଥିଲେ । ମୋତେ ପ୍ରେମ ନ କଲେ ପରୀକ୍ଷାରେ ଫେଲ୍ କରାଇଦେବାର ଧମକ ମଧ୍ୟ ଦେଇଥିଲେ । ଏତିକିରେ ରସିକିଆ କାଳୀଚରଣଙ୍କତାଙ୍କ କାରନାମା ଶେଷ ହୋଇ ନଥିଲା । ଶେଷରେ ସ୍ୱପ୍ନାଙ୍କୁ ସାଙ୍ଗରେ ପାର୍କ ବୁଲିବାକୁ ଯିବାକୁ ଡ଼ାକୁଥିଲେ । ଘରେ ଏକୁଟିଆ ଥିବା ବେଳେ ତାଙ୍କୁ ଡ଼ାକିବା ପାଇଁ ମଧ୍ୟ ଅନୁରୋଧ କରୁଥିଲେ । ଏପରିକି ମନ୍ଦ ଉଦ୍ଦେଶ୍ୟ ରଖି ସେ ସବୁବେଳେ ସ୍ୱପ୍ନାଙ୍କ ଶରୀର ସ୍ପର୍ଶ କରୁଥିଲେ ବୋଲି ଅଭିଯୋଗ ହୋଇଛି । ପ୍ରାୟ ମାସେ ଧରି କାଳୀଚାଣଙ୍କ ଏଭଳି ଆଚରଣରେ ଅତିଷ୍ଠ ହୋଇ ସ୍ୱପ୍ନା ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ଆଜି ସକାଳେ ପରିବାର ଲୋକେ କାଳୀଚରଣଙ୍କୁ ସ୍କୁଲ ନିକଟରେ ଅଟକାଇ ପଚାରିବା ସମୟରେ ସେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏନେଇ ସ୍ୱପ୍ନାଙ୍କ ମା’ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଆଜି କାଳୀଚରଣଙ୍କୁ ଗିରଫ କରିଥିଲା । ଅପରାହ୍ଣରେ କାଳୀଚରଣଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।