ମନୀଷ ସିସୋଦିଆଙ୍କୁ ମିଳିଲାନି ବେଲ୍
ଦିଲ୍ଳୀର ପୂବର୍ତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଲାନି ବେଲ୍। ଅବକାରୀ ବିଭାଗରେ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ଜାମିନ୍ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ସିବିଆଇ ମନୀଷ ସିସୋଦିଆଙ୍କୁ ଏହି ମାମଲାରେ ଗିରଫ କରିଥିଲା। ଜାମିନ ଦେବାକୁ ମନା କରିବାରୁ ସିସୋଦିଆ ରାଉଜ ଏଭିନ୍ୟୁ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଇ ହାଇର୍କୋଟରେ ଆବେଦନ କରିଥିଲା।
ଏହା ସହିତ କୋର୍ଟ ଏହି ମାମଲାରେ ଆମ ଆଦମୀ ପାର୍ଟିର ପୂବର୍ତନ ସଞ୍ଚାର ନିର୍ଦେଶକ ବିଜୟ ନାୟର, ହାଇଦ୍ରାବାଦର ବ୍ୟବସାୟୀ ଅଭିଷେକ ବୋଇନପଲ୍ଳୀ, ବିନୟ ବାବୁ(ମଦ କମ୍ପାନୀ ଏମ୍/ଏସ୍ ପରେନାଡ ରିକର୍ଡର ମ୍ୟାନେଜର)ର ଜାମିନ୍ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ଜାମିନ ଦେବାକୁ ମନା କରିବାକୁ ରାଉଜ ଏଭିନ୍ୟୁ କୋର୍ଟଙ୍କ ନିଷ୍ପତ୍ତିକୁ ମନୀଷଙ୍କ ସହିତ ସବୁ ଅଭିଯୁକ୍ତ ହାଇର୍କୋଟରେ ଚ୍ୟାଲେଞ୍ଜ ଦେଇଥିଲେ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ କଥିତ ଅନିୟମିତତା ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଇଡି ୯ ମାର୍ଚ୍ଚରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହାପରେ ସିସୋଦିଆ ନ୍ୟାୟିକ ହେପାଜତକୁ ଯାଇଥିଲେ। ଏହା ପୂର୍ବରୁ ସିବିଆଇ ଗତ ୨୬ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ମଦ ଦୁର୍ନୀତିରେ ତାଙ୍କ ଭୂମିକାକୁ ନେଇ ୮ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ପରେ ଗିରଫ କରିଥିଲା। ହାଇର୍କୋଟ ୩୦ ମଇରେ ସିସୋଦିଆଙ୍କ ଜାମିନ ଦେବାକୁ ମନା କରିଦେଇଥିଲେ। ଅବକାରୀ ବିଭାଗରେ କଥିତ ମହାଘୋଟାଲାରେ ଗିରଫ ହୋଇ ଏବେ ସିସୋଦିଆ ତିହାର ଜେଲରେ ଅଛନ୍ତି।