ଜୁଲାଇ ୧୩ରେ ଚନ୍ଦ୍ରଯାନ-୩ ଉତକ୍ଷେପଣ

0

ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ସ୍ପେସ୍‌ ରକେଟ୍‌ ମିଶନ ଚନ୍ଦ୍ରଯାନ-୩ ଉତକ୍ଷେପଣ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩ ଲଞ୍ଚ୍‌ କରାଯିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମୁଖ୍ୟ ଏସ୍. ସୋମନାଥ । ଯଦି ଜୁଲାଇ ୧୩ ତାରିଖରେ କୌଣସି କାରଣରୁ ମିଶନ ବାତିଲ କରାଯାଏ ତେବେ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ରିଜର୍ଭ ଡେ’ ଭାବେ ରଖାଯାଇଛି । ଅର୍ଥାତ୍‌ ଜୁଲାଇ ୧୯ ତାରିଖ ମଧ୍ୟରେ ଯେ କୌଣସି ଦିନ ଚନ୍ଦ୍ରକୁ ଯାତ୍ରା କରିବ ଚନ୍ଦ୍ରଯାନ-୩ ।

ଇସ୍ରୋ ମୁଖ୍ୟ ଏସ୍. ସୋମନାଥ କହିଛନ୍ତି, ‘ଚନ୍ଦ୍ରରେ ସଫ୍ଟ ଲାଣ୍ଡିଂ କରିବାକୁ ସକ୍ଷମ ହେବୁ । ଲଞ୍ଚ ପାଇଁ ପ୍ରଥମ ତାରିଖ ଭାବେ ଜୁଲାଇ ୧୩କୁ ଧାର୍ଯ୍ୟ କରାଯାଇଛି । ସମୟ ସୀମାକୁ ଜୁଲାଇ ୧୯ ଯାଏଁ ରଖାଯାଇଛି’।

ଚନ୍ଦ୍ରଯାନ-୩ ହେଉଛି ଭାରତର ସବୁଠାରୁ ଓଜନିଆ ଯାନ । ଚନ୍ଦ୍ର ଅଭିଯାନ ବା ମୁନ୍‌ ମିଶନରେ ସାମିଲ ଥିବା GSLV Mk-III ଏହାକୁ ଚନ୍ଦ୍ରପୃଷ୍ଠର କକ୍ଷ ପଥକୁ ନେଇଯିବ । ଚନ୍ଦ୍ରଯାନ ସିରିଜର ଏହା ତୃତୀୟ ସଂସ୍କରଣ ହୋଇଥିବା ବେଳେ ଚନ୍ଦ୍ରର କକ୍ଷ ପଥରେ ସଫ୍ଟ ଲାଣ୍ଡିଂ କରିବାକୁ ଲକ୍ଷ ରଖାଯାଇଛି । ପୂର୍ବରୁ କେବଳ ୩ଟି ଦେଶ ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ଅବତରଣ କରିବାକୁ ସକ୍ଷମ ହୋଇଛନ୍ତି । ଆମେରିକା, ଚୀନ ଓ ଋଷିଆ ଚନ୍ଦ୍ରପୃଷ୍ଠରେ ସଫଳତା ପାଇଥିବା ବେଳେ ୪ର୍ଥ ଦେଶ ଭାବେ ଭାରତ ଏହି ମାଇଲଷ୍ଟୋନ୍‌ ଛିଡା କରିବାକୁ ଯାଉଛି । ଚନ୍ଦ୍ରଯାନ-୩ ସହିତ ଏକ ଲାଣ୍ଡର୍‌ ଓ ରୋଭର୍‌ ମଧ୍ୟ ଲଞ୍ଚ କରିବ ଇସ୍ରୋ । ଏହା ସହିତ ଚନ୍ଦ୍ରଯାନ-୨ ପାଇଁ ବ୍ୟବହାର କରାଯାଇଥିବା ଅର୍ବିଟର୍‌କୁ ମଧ୍ୟ ବ୍ୟବହାର କରିବ ଚନ୍ଦ୍ରଯାନ-୩ । ଯାହାକି ଏବେ ଚନ୍ଦ୍ର ଚାରିପାଖରେ ପରିକ୍ରମା କରୁଛି ।

Leave a comment