ଖୋର୍ଦ୍ଧାର ପ୍ଲାଷ୍ଟିକ କାରଖାନା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ,ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି
ଖୋର୍ଦ୍ଧା ବରୁଣେଇ ପାହାଡ଼ ତଳେ ଥିବା ପ୍ଲାଷ୍ଟିକ କାରଖାନା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୧୦ଟି ଅଗ୍ନିଶମ ଗାଡ଼ି । ହେଲେ ନିଆଁର ତୀବ୍ରତା ଅଧିକ ଯୋଗୁ ନିଆଁ ଲିଭାଇବା ଅସମ୍ଭବ ହୋଇ ପଡ଼ିଛି । ଘଟଣାସ୍ଥଳରେ ପୋଲିସ କତୃପକ୍ଷ ମଧ୍ୟ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।
ଘର ଭିତରୁ ୪ଟି ଜାଳେଣି ଗ୍ୟାସ ଟାଙ୍କି ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିଶମ ବିଭାଗର ୧୦୦ରୁ ଅଧିକ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ଅଗ୍ନିକାଣ୍ଡର ପ୍ରଭାବ ଏତେ ଅଧିକ ଥିଲା ଯେ ପୁରା ପରିବେଶକୁ କଳା ଧୂଆଁମୟ ହୋଇଯାଇଥିଲା । ନିଆଁ ଲିଭାଇବା ପାଇଁ ପ୍ରଥମେ ଖୋର୍ଦ୍ଧା ଅଗ୍ନିଶମ ଟିମ୍ ଓ ପରେ ନିଆଁ ବହୁ ଜୋରରେ ବ୍ୟାପିବାରୁ ନିକଟସ୍ଥ ଭୁବନେଶ୍ୱର, ଜଟଣୀ ଓ ବେଗୁନିଆରୁ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ସମୟରେ ବହୁ ଶ୍ରମିକ ଗୋଦାମ ଭିତରେ ଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ଦେଇଛିନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ଗୋଦାମ ଭିତରେ ଥିବା ୭ ରୁ ୮ଟି ବାଇକ ଓ ଗୋଟିଏ ଟାଟା ଏସ୍ ସମେତ ଲକ୍ଷଲକ୍ଷ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କିପରି ଏବଂ କେଉଁଠାରୁ ଅଗ୍ନି ବ୍ୟାପିଥିଲା ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଅଗ୍ନିକାଣ୍ଡ ଘଟାଇଥିବା ସ୍ଥାନ ବରୁଣେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବାରୁ ଅଗ୍ନିକାଣ୍ଡରେ କିଛି ବନାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ତୁରନ୍ତ ବନ କର୍ମଚାରୀମାନେ ଜଙ୍ଗଲରେ ଲାଗୁଥିବା ନିଆଁକୁ ଆୟତ କରିଥିବା ଜଣାପଡ଼ିଛି ।
ସେହିପରି ଯେପରି ଜଙ୍ଗଲକୁ ନିଆଁ ନବ୍ୟାପେ ସେଥିପାଇଁ ବନ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି । ଅଗ୍ନିକାଣ୍ଡ ନିକଟରେ ଥିବା ବସ୍ତି ଓ ଲୋକଙ୍କୁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ସେହିପରି ଘଟଣା ସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍ପି ସିଦ୍ଧାର୍ଥ କଟାରିଆ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣା ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି, ”ନିଆଁକୁ କିଭଳି ଆୟତ କରାଯିବ ତାକୁ ପ୍ରାଥମିକତା ଦିଆଯାଉଛି। ସେହିପରି ନିଆଁ ଯେପରି ଅନ୍ୟତ୍ର ନବ୍ୟାପେ ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଇଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ସେଥିପାଇଁ ଏକ ଟିମ୍ ଏହାର ତଦନ୍ତ କରିବ । ସେହିପରି ଖୋର୍ଦ୍ଧା ଏସ୍ପି କହିଛନ୍ତି,” ନିଆଁକୁ ଆୟତ କରିବା ପାଇଁ ଆମେ ପ୍ରାଥମିକତା ଦେଇଛୁ ଏବଂ ଆମେ ନିଆଁ ଉପରେ ସତର୍କ ଦୃଷ୍ଟି ରଖିଛୁ ।”