ଏଣିକି ବ୍ରାଇଡାଲ ମେକଅପ୍ କରିବେ ମିଶନ ଶକ୍ତିର ମା’ମାନେ

0

ବିଭିନ୍ନ ପାରମ୍ପରିକ କାର୍ଯ୍ୟରୁ ବାହାରି ଅଣପାରମ୍ପରିକ ଓ ବୈଷୟକ କାମ ହାତକୁ ନେଇ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଶେଷ ସଫଳତା ପ୍ରଦର୍ଶନ କରିପାରିଛନ୍ତି। ଏବେ ରାଜ୍ୟର ୪୦ ଜଣ ମିଶନ ଶକ୍ତିର ମା’ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ପାଠ୍ୟକ୍ରମରେ ତାଲିମ ଶେଷ କରି ଗ୍ରାମାଞ୍ଚଳରେ ଏହି ଆଧୁନିକ ପ୍ରସାଧାନ ସେବା ଯୋଗାଇ ଦେବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି।ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ପ୍ରତିଷ୍ଠିତ ୱାର୍ଲଡ ସ୍କିଲ୍ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ବିଶେଷ ପାଠ୍ୟକ୍ରମ ମାଧ୍ୟମରେ ୧୭ଟି ଜିଲ୍ଲାରୁ ଆସିଥିବା ଏସଏଚଜି ମା’ମାନେ ଯୋଗ ଦେଇଥିଲେ। ସେମାନଙ୍କୁ ଆଧୁନିକ ପ୍ରସାଧାନ ସେବା ଅଧୀନରେ ବେସିକ୍ ଫେସିଆଲ, ବ୍ରାଇଡାଲ ମେକଅପ୍, ସ୍ୟାମ୍ପୁ ଓ ହେଡ୍ ମସାଜ୍, ବେସିକ୍ ହେୟାର କଟିଂ, ପେଡିକିୟୋର ଏବଂ ମ୍ୟାନିକିୟୋର ଆଦି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି ପ୍ରଥମ ବ୍ୟାଚ ତାଲିମ କାର୍ଯ୍ୟକ୍ରମ ଶେଷରେ ବିଶ୍ୱ ଦକ୍ଷତା କେନ୍ଦ୍ର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମିଶନ ଶକ୍ତି ବିଭାଗର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ ଶେଷ କରିଥିବା ଏସଏଚଜି ମହିଳାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।

Leave a comment