ରାହୁଲଙ୍କ ମୁଁହରେ ମୋଦିଙ୍କ ପ୍ରଶଂସା
ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାୟତଃ ଆକ୍ରମକ ଥାଆନ୍ତି। ଏଥିରେ ରାହୁଲ କଦବା କ୍ୱଚିତ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଥାଇ ପାରନ୍ତି ତାହା ସହଜରେ ମନପଡେ ନାହିଁ। ତେବେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ଦୁଇ ଯୋଜନା ଲାଗି ଉଚ୍ଚ ପ୍ରଶଂସା କରିଛନ୍ତି। ଛାତ୍ରଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ‘ଜନଧନ ଯୋଜନା’ ଓ ମହିଳାଙ୍କ ଲାଗି ‘ଉଜ୍ଜ୍ୱଳା ଯୋଜନା’ର ଉଚ୍ଚ ପ୍ରଶଂସା କରିଛନ୍ତି।
କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ରାହୁଲ ଗାନ୍ଧିଙ୍କୁ ମୋଦି ସରକାରଙ୍କ ସେହି ନୀତିଗୁଡିକ ସମ୍ପର୍କରେ ପଚାରିଥିଲେ ଯାହା ଦ୍ୱାରା ଭାରତୀୟଙ୍କୁ ଲାଭ ହୋଇଛି। ଏହାର ଜବାବରେ ରାହୁଲ ପ୍ରଧାନମନ୍ତ୍ରୀ ‘ଜନଧନ ଯୋଜନା’ ଓ ‘ଉଜ୍ଜ୍ୱଳା ଯୋଜନା’ର ଉଦାହରଣ ଦେଇଥିଲେ। ଆର୍ଥିକ ଦୁର୍ବଳ ବର୍ଗର ଭାରତୀୟଙ୍କୁ ବ୍ୟାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ‘ଜନଧନ ଯୋଜନା’ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାହୁଲ କହିଛନ୍ତି। ଦେଶର ଯେଉଁ ନାଗରିକମାନେ ବ୍ୟାଙ୍କ ଦ୍ୱାରକୁ ଯାଇ ପାରୁନଥିଲେ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ଯୋଗୁ ବ୍ୟାଙ୍କରେ ସେହି ଲୋକଙ୍କ ଆକାଉଣ୍ଟ ଖୋଲା ଯାଇପାରିଥିବା ବେଳେ ଲୋକେ ବ୍ୟାଙ୍କ ମାଧ୍ୟମରେ ଏବେ ଟଙ୍କା ନେଣଦେଣ କରିପାରୁଛନ୍ତି ବୋଲି ରାହୁଲ କହିଛନ୍ତି।
କେବଳ ଜନଧନ ଯୋଜନା ନୁହେଁ ଏହିପରି ମହିଳାଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ‘ଉଜ୍ଜ୍ୱଳା ଯୋଜନା’ ମଧ୍ୟ ଦେଶର ଅସଂଖ୍ୟ ମହିଳାଙ୍କୁ ଉପକୃତ କରିପାରିଥିବା ରାହୁଲ କହିଛନ୍ତି। ମହିଳାଙ୍କୁ ପାରମ୍ପରିକ ଚୁଲିରୁ ମୁକ୍ତି ମିଳିଥିବା ବେଳେ ରୋଷେଇ ଲାଗି ସେମାନଙ୍କ ସମୟ ବଞ୍ଚିଛି, ଯେଉଁ ସମୟର ସେମାନେ ଏବେ ଅନ୍ୟ ଲାଭଜନକ ଉପଯୋଗ କରୁଥିବା ରାହୁଲ କହିଛନ୍ତି। ତେବେ ରାହୁଲ କେବଳ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ନାହାନ୍ତି ତାଙ୍କ ଉପରେ ବର୍ଷିଛନ୍ତି ମଧ୍ୟ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଲାଗି ଭଲ କାମ କରୁଛନ୍ତି । ହେଲେ ତାଙ୍କ ବିଚାରକୁ ଦେଶବାସୀଙ୍କ ଉପରେ ଲଦିବାକୁ ଉଦ୍ୟମ କରୁଛନ୍ତି, ଯାହାକୁ ସମସ୍ତେ ମାନିବେ ନାହିଁ। ଯଦି ଗୋଟିଏ ବିଚାର ଆପଣଙ୍କ ଉପରେ ଲଦାଯିବ ତେବେ ପ୍ରତିକ୍ରିୟା ଆସିବ ହିଁ ବୋଲି ରାହୁଲ କହିଛନ୍ତି।
ରାହୁଲଙ୍କ କହିବାର କଥା ହେଉଛି ଆମେ ବିପକ୍ଷ, ଆମେ ଏପରି ଚାପ ସବୁବେଳେ ଅନୁଭବ କରୁଛୁ, ଯେପରି ବିରୋଧୀଙ୍କ ବିରୋଧରେ ମାମଲା ରୁଜୁ ହେଉଛି। ରାହୁଲ କହିଛନ୍ତି ଯେ, ମୋ ବିରୋଧରେ ଏପରି ଅନେକ ଅପରାଧିକ ମୋକଦ୍ଦମା ରୁଜୁ ହୋଇଛି ଯାହା କୌଣସି ପରିସ୍ଥିତିରେ ବି ଅପରାଧିକ ନୁହେଁ ବୋଲି ରାହୁଲ କହିଛନ୍ତି। ତେବେ କେବଳ ମୋ ବିରୋଧରେ ନୁହେଁ, ଦେଶରେ ଯିଏ ବି ସରକାରଙ୍କ ବିରୋଧରେ ମୁହଁ ଖୋଲୁଛି ସେ ସାମ୍ବାଦିକ ହେଉ କି ସାଧାରଣ ନାଗରିକ ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହେଉଥିବା ରାହୁଲ କହିଛନ୍ତି।