ସୋମାଲିକାଙ୍କୁ ଭେଟିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

0

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଦାସ ନ୍ୟାୟ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଛନ୍ତି । ବିଧାନସଭାରେ ତାଙ୍କ ପ୍ରସଙ୍ଗ ଉଠାଇବା ପାଇଁ ସେ ବିରୋଧୀ ଦଳ ନେତାଙ୍କୁ ନିବେଦନ କରିଛନ୍ତି । ବିଜୟ ଶଙ୍କର ଓ ସୋମାଲିକାଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଚାଲିଛି ।

ସୋମାଲିକା ନିଜକୁ ବିଜୟଶଙ୍କରଙ୍କ ପ୍ରେମିକା ଭାବେ ଦାବି କରିଆସୁଛନ୍ତି । ଏପରିକି ଉଭୟ ବିବାହ କରିବେ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା । ହେଲେ ପରେ ଏହି ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଥିଲା ଓ ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି ।

ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମିକା ବୋଲି ଦାବି କରୁଥିବା ସୋମାଲିକା ନ୍ୟାୟ ପାଇଁ ଥାନାରୁ ହାଇକୋର୍ଟକୁ ଦୌଡିଥିଲେ । ଆଉ ଏବେ ନ୍ୟାୟ ପାଇଁ ବିରୋଧୀ ଦଳ ନେତାଙ୍କ ବାସଭବନକୁ ଆସିଛନ୍ତି । ପ୍ରେମରୁ ପ୍ରତାରଣା ଯାଏଁ ଗୋଟି ଗୋଟି କରି ବିଜେଡି ବିଧାୟକ ବିଜୟଶଙ୍କରଙ୍କ କାରନାମା ଶୁଣାଇ ସେ ନ୍ୟାୟ ମାଗିଛନ୍ତି ।

ଗତ ବର୍ଷ ମେ ମାସରେ ବିଧାୟକ ବିଜୟଶଙ୍କରଙ୍କ ନାଁରେ ଅଭିଯୋଗ ଆଣିଥିଲେ ସୋମାଲିକା । କିନ୍ତୁ ପୁଲିସ ମାମଲା ରୁଜୁ କରୁନଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ପୁଲିସ ମାମଲା ରୁଜୁ କରି ଚୁପ ବସିଥିବା ଅଭିଯୋଗ କରିଛନ୍ତି ସୋମାଲିକା । ଧାରା ୧୬୧, ଧାରା ୧୬୪ରେ ବୟାନ ରେକର୍ଡ ହୋଇଛି । ଏପରିକି ତିର୍ତ୍ତୋଲ ବିଧାୟକଙ୍କ ପ୍ରତାରଣାର ସବୁ ପ୍ରମାଣ ଦେବା ସତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ଅଭିଯୋଗ କରିିଛନ୍ତି ସୋମାଲିକା । କହିଛନ୍ତି ପୁଲିସ ବିଜେଡି ଚାପରେ କିଛି କରିପାରୁ ନାହିଁ ।

ବିଧାୟକ ବିଜୟଶଙ୍କର ଓ ସୋମାଲିକାଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଚାଲିଛି ।କୋର୍ଟଙ୍କ ନିର୍ଦ୍ଦେଶରେ ସବରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଆବେଦନ କରିଥିଲେ ବିଜୟଶଙ୍କର ଓ ସୋମାଲିକା । ହେଲେ ୯୦ ଦିନ ଭିତରେ ବିବାହ ହୋଇପାରି ନଥିଲା ଓ ଏଥିପାଇଁ ବିଜୟଶଙ୍କରଙ୍କୁ ଦାୟୀ କରିଆସୁଛନ୍ତି ସୋମାଲିକା । ଏବେ ବିରୋଧୀ ଦଳ ନେତାଙ୍କୁ ଭେଟିବା ଓ ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିବା ଚର୍ଚ୍ଚାର ବିଷୟ ହୋଇଛି ।

Leave a comment