ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କାହିଁକି ଘଣ୍ଟି ବଜାଇବାର ରହିଛି ମହତ୍ୱ ?
ଛୋଟ ହେଉ କି ବଡ ସମସ୍ତ ମନ୍ଦିରର ପ୍ରବେଶ ପଥରେ ଘଣ୍ଟି ଲଗାଯାଇଥାଏ। ଏବଂ ସେହି ଘଣ୍ଟି ବଜାଇବା ପରେ ଲୋକମାନେ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। ଆପଣ ମଧ୍ୟ ଏହିଭଳି ଅନୁଭୂତି ପାଇଥିବେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ମନ୍ଦିରରେ ଘଣ୍ଟି କାହିଁକି ଲଗାଯାଇଥାଏ ଏବଂ ଲୋକମାନେ ସେହି ଘଣ୍ଟି ବଜାଇବା ପରେ କାହିଁକି ମନ୍ଦିର ଭିତରକୁ ଯାଆନ୍ତି?
ମନ୍ଦିରରେ ଘଣ୍ଟି ଲଗାଯିବାର କାରଣ ଅତ୍ୟନ୍ତ ସ୍ୱତନ୍ତ୍ର ରହିଛି। ଯେବେ ବି ଜଣେ ଭକ୍ତ ମନ୍ଦିରକୁ ଆସନ୍ତି, ପୂଜା ସମୟରେ ଘଣ୍ଟି ବଜାଯାଏ। ବିଶ୍ୱାସ କରାଯାଏ ଯେ, ଘଣ୍ଟି ବଜାଇବା ଦ୍ୱାରା ମନ୍ଦିରରେ ସ୍ଥାପିତ ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକରେ ଚେତନା ଜାଗ୍ରତ ହୁଏ। ଘଣ୍ଟି ବଜାଇବା ପରେ ଭକ୍ତଙ୍କ ଦ୍ୱାରା କରାଯାଇଥିବା ପୂଜା ବ୍ରତ ଅଧିକ ଫଳପ୍ରଦ ହୋଇଥାଏ ।
ପୁରାଣରେ ଏହା ମଧ୍ୟ କୁହାଯାଇଛି ଯେ ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ଜଣେ ବ୍ୟକ୍ତିର ଅନେକ ଜନ୍ମର ପାପ କ୍ଷୟ ହୋଇଯାଏ। ଯେତେବେଳେ ସୃଷ୍ଟି ଆରମ୍ଭ ହେଲା, ସେତେବେଳେ ଯେଉଁ ଶବ୍ଦ ବା ସ୍ୱର ପ୍ରତିରୂପିତ ହୋଇଥିଲା, ମନ୍ଦିର ଘଣ୍ଟି ବଜାଇବାବେଳେ ସମାନ ଧ୍ୱନି ଆସେ ବୋଲି କୁହାଯାଏ। ଏହି କାରଣରୁ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଘଣ୍ଟି ବଜାଯାଏ। ଏହା ବ୍ୟତୀତ ମନ୍ଦିର ବାହାରେ ଥିବା ଘଣ୍ଟି ସମୟର ପ୍ରତୀକ ଭାବରେ ବିବେଚନା କରାଯାଏ। ସାଧୁ-ମହାତ୍ମାଙ୍କ କହିବା ଅନୁଯାୟୀ, ପୃଥିବୀରେ ପ୍ରଳୟ ଆସିବ ସମୟରେ ଘଣ୍ଟି ବଜାଇବା ପରି ଏକ ଶବ୍ଦ ଶୁଣାଯାଏ। ମନ୍ଦିରରେ ଘଣ୍ଟି ବଜାଇବା ପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଯେତେବେଳେ ମନ୍ଦିରରେ ଘଣ୍ଟି ବଜାଯାଏ, ବାୟୁମଣ୍ଡଳରେ କମ୍ପନ ସୃଷ୍ଟି ହୋଇଥାଏ ଏବଂ ସେହି କମ୍ପନ ବାୟୁ କାରଣରୁ ବହୁ ଦୂରକୁ ଯାଇଥାଏ। ଏହି କମ୍ପନ ପରିସରକୁ ଆସୁଥିବା ସମସ୍ତ ଜୀବାଣୁ, ଭୂତାଣୁ ଏବଂ ଛୋଟ ଛୋଟ ଅଣୁଜୀବ ନଷ୍ଟ ହୋଇଯାଇଥାନ୍ତି। ଯାହା ଫଳରେ ମନ୍ଦିର ଏବଂ ଏହାର ଆଖପାଖ ପରିବେଶ ଶୁଦ୍ଧ ରହିଥାଏ। ଯେଉଁଠାରେ ଘଣ୍ଟି ବଜାଇବାର ଶବ୍ଦ ପ୍ରତିଦିନ ଆସେ, ସେଠାରେ ଥିବା ପରିବେଶ ସର୍ବଦା ଶୁଦ୍ଧ ଏବଂ ପବିତ୍ର ରହିଥାଏ ବୋଲି ବୈଜ୍ଞାନିକମାନେ କୁହନ୍ତି। ଘଣ୍ଟି ବଜାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇ ବ୍ୟକ୍ତିଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧିର ଦ୍ୱାର ଖୋଲିଯାଏ ବୋଲି କୁହାଯାଏ।