ବାଲେଶ୍ଵର ଠାରୁ ୪୨୦ କିଲୋମିଟରରେ ‘ୟାସ’
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ୟାସ ଅତି ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ବାଲେଶ୍ଵର ଠାରୁ ୪୨୦ କିମି ଦୂରରେ ଅଛି। ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ଧାରଣ କରିବ ୟାସ୍। ଏହାରି ପ୍ରଭାବରେ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଥିବା ବେଳେ ବାତ୍ୟାର ଗତିପଥ, ବେଗ ଏବଂ ଲ୍ୟାଣ୍ଡଫଲ ସମୟ ନେଇ ପ୍ରତି ଥର ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି।
ବାତ୍ୟା ୨୬ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବାଲେଶ୍ଵର ଆଖପାଖରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେତେବେଳେ ପବନ ୧୫୫ ରୁ ୧୬୫ କିମି ବେଗରେ ବହିବ। ଏପରିକି ବେଳେ ବେଳେ ଘଣ୍ଟା ପ୍ରତି ୧୮୫ କିମି ବେଗକୁ ମଧ୍ୟ ଛୁଇଁପାରେ। ଏହାରି ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ଵର ଜିଲ୍ଲାରେ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବ। ପାରଦୀପରୁ ଧାମରା ପର୍ଯ୍ୟନ୍ତ ୨ ରୁ ୩ ମିଟର ଉଚ୍ଚରେ ଜୁଆର ଉଠିବ। ବାତ୍ୟା ପ୍ରଭାବରେ କାଲିଠୁ ବର୍ଷା ବଢିବା ସହ ସନ୍ଧ୍ୟାରୁ ପବନର ବେଗ ବଢିବ। ବାତ୍ୟା ପ୍ରକୋପରେ ଚାଳଛପର ଘର, ଗଛ, ବିଜୁଳି ଖୁଣ୍ଟ ଉପୁଡିପାରେ। ବାତ୍ୟା ମୁହଁରେ ଯେଉଁ ସବୁ ଅଞ୍ଚଳ ପଡିବ ସେଠାରେ ଯଥେଷ୍ଟ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି।
ବିଶେଷ କରି ଉତ୍ତର ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବାତ୍ୟାର ପ୍ରଭାବ ଅଧିକ ରହିବ। ବାତ୍ୟା ବାଲେଶ୍ଵର ଓ ଭଦ୍ରକରେ ତାଣ୍ଡବଲୀଳା ରଚିପାରେ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଚାରି ଜିଲ୍ଲା ପାଇଁ ହାଇଆଲର୍ଟ ଜାରି କରାଯାଇଛି। ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପୁରୀ, ଖୋର୍ଦ୍ଧା, କଟକରେ ୧୦୦ କି.ମି ବେଗରେ ପବନ ବହିପାରେ। ଏହାକୁ ନଜରରେ ରଖି ପାରାଦୀପ, ଧାମରା ପୋର୍ଟକୁ ବିପଦ ସଙ୍କେତ ଜାରି କରାଯାଇଛି।