କୋଭିଡ୍ ମୁକାବିଲା: ଓଡ଼ିଶା ପୁଲିସକୁ ପୁରସ୍କାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଫଳତାର ସହ କୋଭିଡ ମୁକାବିଲା କରିଥିବାରୁ ଓଡ଼ିଶା ପୁଲିସକୁ ମିଳିଛି ଜାତୀୟ ପୁରସ୍କାର। ଜାତୀୟ ମହିଳା କମିଶନ ପକ୍ଷରୁ ଓଡ଼ିଶା ପୁଲିସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରବିବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଜାତୀୟ ମହିଳା କମିଶନର ୨୯ ତମ ପ୍ରତିଷ୍ଠା ଉତ୍ସବରେ ଓଡ଼ିଶା ପୁଲିସକୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଛି। ବରଗଡ଼ ଏସପି ପଦ୍ମିନୀ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଜାତୀୟ ମହିଳା କମିଶନ ପକ୍ଷରୁ ଓଡ଼ିଶା ପୁଲିସକୁ ପ୍ରଶଂସା କରି କୁହାଯାଇଛି ଯେ କରୋନା ସମୟରେ ଓଡ଼ିଶା ପୁଲିସର ନିସ୍ୱାର୍ଥପର ସେବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ଯେତେବେଳେ ଓଡ଼ିଶାରେ କରୋନା ଭାଇରସ ପ୍ରକୋପ ଦେଖିବାକୁ ମିଳିଥିଲା ସେତେବେଳେ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିଲା।
ଏହି ସମୟରେ ଦିନ ରାତି ଏକାକାର କରି ପୁଲିସ ପକ୍ଷରୁ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲା। ଲକଡାଉନ ଯୋଗୁ ଯେତେବେଳେ ବାହାର ରାଜ୍ୟ ଅବା ଜିଲ୍ଲାର ଲୋକେ ଅନ୍ୟ ସ୍ଥାନରେ ଫସି ରହିଥିଲେ ଓଡ଼ିଶା ପୁଲିସ ପକ୍ଷରୁ ମଧ୍ୟ ବହୁ ସହଯୋଗ ଦିଆଯାଇଥିଲା।