ଆମ ଉତ୍ପାଦିତ ସାମଗ୍ରୀ ସବୁ ବିଶ୍ୱର ସର୍ବତ୍ତୋମ ଶ୍ରେଣୀୟ ହେବା ଆବଶ୍ୟକ: ‘ମନ୍‌ କୀ ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ ଉତ୍ପାଦିତ ସାମଗ୍ରୀଗୁଡ଼ିକ ବିଶ୍ୱର ସର୍ବତ୍ତୋମ ଶ୍ରେଣୀୟ ହେବା ଆବଶ୍ୟକ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନିର୍ମାତା ଏବଂ ଶିଳ୍ପ ନେତାମାନଙ୍କୁ କହିଛନ୍ତି।
ଆଜି ଏ ବର୍ଷର ଶେଷ ତଥା ‘ମନ୍‌ କୀ ବାତ୍‌’ର ୭୨ତମ ସଂସ୍କରଣରେ କରୋନାଭାଇରସ୍‌ ବିରୋଧୀ ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ସହ ନବବର୍ଷର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଆରମ୍ଭ କରିଥିଲେ।
ସେ କହିଲେ, ଆପଣମାନଙ୍କ ଠାରୁ କେତେଗୁଡ଼ିଏ ଚିଠି ପାଇଛି। ସେଥିରୁ ପ୍ରଧାନମନ୍ତ୍ରୀ ପଢ଼ି ଶୁଣାଇଥିବା ଗୋଟିଏ ଚିଠିରେ ଉଲ୍ଲେଖ ଥିଲା, ଚାଲନ୍ତୁ, ୨୦୨୧ ନିମନ୍ତେ ଆମ ଦେଶକୁ ଅଭିନନ୍ଦନ ଓ ଶୁଭକାମନା ଜଣାଇବା। ଏହା ହିଁ ୨୦୨୧ ପାଇଁ ଜଣଙ୍କର ସବୁଠୁ ବଡ଼ ଶୁଭକାମନା।
ପ୍ରଧାନମନ୍ତ୍ରୀ କହିଲେ ଯେ, ବର୍ଷଟିଏ ମଧ୍ୟରେ ଦେଶବାସୀଙ୍କ ମନୋଭାବରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଏହି ପରିବର୍ତ୍ତନକୁ ଅର୍ଥନୀତିଜ୍ଞମାନେ ମଧ୍ୟ କଳନା କରିବାକୁ ସମର୍ଥ ହେବେନାହିଁ। ଭାରତ ନିର୍ମିତ ସାମଗ୍ରୀ ପାଇଁ ଦେଶବାସୀଙ୍କର ଚାହିଦା ବଢ଼ିବା ଆରମ୍ଭ ହେଲାଣି ବୋଲି ଖେଳନା ଶିଳ୍ପ ଅଭିଯାନରୁ ଜଣାପଡ଼ିଲାଣି। ବର୍ଷକ ମଧ୍ୟରେ ଏହା ଗୋଟାଏ ବଡ଼ ପରିବର୍ତ୍ତନ ନୁହେଁ କି?
ଆମର ଉତ୍ପାଦ ସବୁ ବିଶ୍ୱର ସର୍ବତ୍ତୋମ ଶ୍ରେଣୀୟ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନିର୍ମାତା ଏବଂ ଶିଳ୍ପ ନେତାମାନଙ୍କୁ କହିଛନ୍ତି। ‘ଜିରୋ ଇଫେକ୍ଟ୍‌, ଜିରୋ ଡିଫେକ୍ଟ୍‌’ ନୈତିକତା ଆଧାରରେ କାମ କରିବାର ସୁଯୋଗ ଆସିଛି ବୋଲି ସେ ମତ ଦେଇଛନ୍ତି।
ଆଜି ପ୍ରତି ଘରେ ‘ଲୋକାଲ୍‌ ଫର୍‌ ଭୋକାଲ୍‌’ର ଚାହିଦା ରହିଛି। ତେଣୁ ନିର୍ମାତାମାନେ ଉତ୍ପାଦନ କରୁଥିବା ସାମଗ୍ରୀର ମାନରେ କୌଣସି ପ୍ରକାରର ସାଲିସ କରିବା ଅନୁଚିତ। ଏହି ପ୍ରତିବଦ୍ଧତା ସହ ସେମାନେ ଅଗ୍ରସର ହେବା ଆବଶ୍ୟକ।
କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ସାମଗ୍ରୀ ଯୋଗାଣ ଶୃଙ୍ଖଳ ବିଚ୍ଛିନ୍ନ ହୋଇଥିଲେ ବି ପ୍ରତ୍ୟେକ ସଙ୍କଟରୁ ଆମେ ନୂଆ କଥା ଶିକ୍ଷା ଲାଭ କରିଛନ୍ତି। ଦେଶ ନୂତନ ସାମର୍ଥ୍ୟ ବିକଶିତ କରିଛି। ଏହି ସାମର୍ଥ୍ୟକୁ ଆମେ ‘ଆତ୍ମନିର୍ଭର ଭାରତ’ ବୋଲି କହିପାରିବା।

୨୦୧୪ରୁ ୨୦୧୮ ମଧ୍ୟରେ ଭାରତରେ କଲରାପତ୍ରିଆ ସଂଖ୍ୟା ୬୦% ବୃଦ୍ଧି ପାଇଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ୭, ୯୦୦ଟି କଲରାପତ୍ରିଆ ଥିଲେ। ୨୦୧୯ରେ ସେମାନଙ୍କ ସଂଖ୍ୟା ୧୨, ୮୫୨କୁ ବୃଦ୍ଧି ପାଇଛି। ଦେଶର ସବୁ ଅଞ୍ଚଳ ବିଶେଷତଃ କେନ୍ଦ୍ରୀୟ ଭାରତରେ କଲରାପତ୍ରିଆଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କଥା ସେ ସୂଚନା ଦେଇଛନ୍ତି।

ବଣଜଙ୍ଗଲରେ ସିଂହ ଓ ବାଘଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ କହିଛନ୍ତି। ଏହାର ମୁଖ୍ୟ କାରଣ କେବଳ ସରକାରୀ ଉଦ୍ୟମ ନୁହେଁ, ଅନ୍ୟ କେତେକ ବ୍ୟକ୍ତିବିଶେଷ, ନାଗରିକ ସମାଜ ଏବଂ ଅନ୍ୟାନ୍ୟ ସଙ୍ଗଠନମାନଙ୍କର ମଧ୍ୟ ବନ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଉଦ୍ୟମ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ଦେଶର ଯୁବବର୍ଗଙ୍କୁ ଦେଖିଲେ ମୁଁ ଆନନ୍ଦ ଅନୁଭବ କରିବା ସହ ଚିନ୍ତାମୁକ୍ତ ହୋଇଯାଏ। ମୋର ମନେହୁଏ ସେମାନଙ୍କ ପାଇଁ କୌଣସି ଚାଲେଞ୍ଜ୍‌ ବଡ଼ ନୁହେଁ। କୌଣସି କଥା ସେମାନଙ୍କୁ ବଳି ଯିବ ନାହିଁ।

Leave a comment