ଯାଜପୁର ଜିଲ୍ଲାର ବ୍ୟାପକ ଅଞ୍ଚଳ ୪୮ ଘଣ୍ଟା ପାଇଁ ହେବ ସଟଡାଉନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର, କଟକ ଓ ଭଦ୍ରକ ପରେ ସଟଡାଉନ ହେବ ଯାଜପୁର ଜିଲ୍ଲାର ବ୍ୟାପକ ଅଞ୍ଚଳ । ଏହି ସଟଡାଉନ ଆଜି ରାତି ୮ଟାରୁ ଲାଗୁ ହୋଇ ୬ତାରିଖ ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ଏହି ସଟଡାଉନ ସମୟରେ କାହାକୁ ଘରୁ ବାହାରିବାର ଅନୁମତି ଦିଆଯିବ ନାହିଁ । ଯେଉଁମାନେ ଏହି ଆଦେଶକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଗତକାଲି ଯାଜପୁର ବ୍ରହ୍ମବରଦା ଅଞ୍ଚଳ ରୁ ଜଣେ କରୋନା ଚିହ୍ନଟ ହେବାପରେ ଆଜି ସକାଳୁ ସେହି ଅଞ୍ଚଳକୁ ପ୍ରଶାସନ ସିଲ୍ କରିଥିଲା । ଏହି ଅଞ୍ଚଳ ସମେତ ତିନି କିଲୋମିଟର ପରିଧି ଅଞ୍ଚଳରେ ସ୍ୟାନିଟାଇଜେସନ୍ ଜାରି ରହିଛି। କରୋନା ଚିହ୍ନିତ ରୋଗୀଙ୍କୁ କଟକ ଅଶ୍ଵିନୀ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି ।
ସୂଚନା ଅନୁଯାୟୀ, ନିଜାମୁଦ୍ଦିନରୁ ରାଜ୍ୟକୁ ଫେରିଥିବା ଲୋକଙ୍କ ମଧ୍ୟରୁ ୨୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମସ୍ତଙ୍କ ନମୁନା ପରୀକ୍ଷା କରାଯାଇଥିଲା । ଏଥିରୁ କେବଳ ତିନିଟି ରିପୋର୍ଟ ପଜିଟିଭ୍ ଆସିଛି । ଯାଜପୁର ଆକ୍ରାନ୍ତ ଜଣକ ଜଣେ ମୌଲବୀ । ସେ ଦିଲ୍ଲୀର ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇ ଗତ ୧୮ ତାରିଖରେ ଓଡ଼ିଶା ଫେରିଥିଲେ । ସେ ଏତେ ଦିନ ମଧ୍ୟରେ ଅନେକ ଲୋକଙ୍କ ସହ ମିଶିଥିବା ପ୍ରଶାସନ ଅନୁମାନ କରୁଛି । ମୌଲବିଙ୍କୁ ଏନେଇ ପଚାରାଯିବା ସମୟରେ ତଥ୍ୟ ଲୁଚାଉ ଥିବାରୁ ଯାଜପୁର ଜିଲ୍ଲାର ବ୍ୟାପକ ଅଞ୍ଚଳକୁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ସେହିପରି ମୌଲବୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ୧୦୪କୁ ଫୋନ୍ କରି ତଥ୍ୟ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ଅଞ୍ଚଳଗୁଡ଼ିକରେ ସଟ୍ଡାଉନ୍ ଆଦେଶ କାର୍ଯ୍ୟକାରୀ ହେବ ସେଥିରେ ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟ ସମେତ ଚଣ୍ଡିଖୋଲ ଓ ପାଣିକୋଇଲି ଅଞ୍ଚଳ ରହିଛି। ଏହା ସହ ତାଙ୍କର ସମ୍ପର୍କୀୟମାନେ ରହୁଥିବା ସାଦକପୁର, ନେଉଳପୁର ଏବଂ ଚାରିନଙ୍ଗଳ ଗାଁରେ ମଧ୍ୟ ସଟ୍ଡାଉନ୍ ଆଦେଶ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।