୧୫ତମ ମା’ ଜଗଦ୍ଧାତ୍ରୀ ପୂଜା ମହୋତ୍ସବ ଉଦ୍ଯାପିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ନିକଟସ୍ଥ ଯଶୋବନ୍ତପୁର, ଝିଙ୍କରଡ଼ିହ ଗ୍ରାମସ୍ଥିତ ମା’ ଖଣ୍ଡୁଆଳିଙ୍କ ପୀଠରେ ୧୫ତମ ମା’ ଜଗଦ୍ଧାତ୍ରୀ ପୂଜା ମହୋତ୍ସବ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି। ପବିତ୍ର କାର୍ତ୍ତିକ ମାସର ଶୁକ୍ଳପକ୍ଷ ମହାସପ୍ତମୀ ତିଥି ଅବସରରେ ଚଳିତ ମାସ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ମା’ଙ୍କ ପୀଠରେ ବିଶ୍ୱଶାନ୍ତି ଯଜ୍ଞ ସହିତ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
୧୬ ତାରିଖରେ କଳସ ଯାତ୍ରା, ମହାସପ୍ତମୀ ପୂଜା ଓ ଅଗ୍ନି ସଂସ୍ଥାପନ ସହ ଯଜ୍ଞର ଶୁଭାରମ୍ଭ ହୋଇଥିଲା। ୧୭ ତାରିଖରେ ମହାଷ୍ଟମୀ ପୂଜା ଓ ଶ୍ରୀଶ୍ରୀ ଚଣ୍ଡୀ ମହାବ୍ରତ ପୂଜା ଏବଂ ୧୮ ତାରିଖରେ ଅଁଳା ନବମୀ ଓ ମହାନବମୀ ପୂଜା ସହିତ ଯଜ୍ଞର ପୂର୍ଣ୍ଣାହୁତି ଓ ଚରୁଅନ୍ନ ନିବେଦନ କରାଯାଇଥିଲା। ମହୋତ୍ସବ ଅବସରରେ ପ୍ରତ୍ୟେକ ଦିନ ସ୍ଥାନୀୟ ଗ୍ରାମବାସୀଙ୍କ ନିମନ୍ତେ ଦୁଇବେଳା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ସହଯୋଗରେ ଖ୍ୟାତନାମା କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା।
ଏହି ଅବସରରେ ପୁରୀର ମଲ୍ଲଖମ୍ବ, ଖୋର୍ଦ୍ଧାର ପାଇକ ଆଖଡ଼ା, ଭଜନ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ବିଭିନ୍ନ ଲୋକନୃତ୍ୟ ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ପରିବେଷିତ ହୋଇ ଦର୍ଶକଙ୍କ ମନ ମୋହିଥିଲା। ଏହି ମହୋତ୍ସବକୁ ଆଖପାଖର ପାଞ୍ଚଟି ପଞ୍ଚାୟତର ହଜାର ହଜାର ଶ୍ରଦ୍ଧାଳୁ ଓ ଜନସାଧାରଣ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଥିଲେ। କଳା ଓ ସଂସ୍କୃତିର ପ୍ରଚାର, ସମାଜସେବା, ଶିକ୍ଷା, ପରିବେଶ ସୁରକ୍ଷା ଓ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ନିଜର ଅବଦାନ ପାଇଁ ସ୍ଥାନୀୟ କୁତ୍ତାମଚଣ୍ଡୀ କ୍ଲବ୍ର କର୍ମକର୍ତ୍ତାମାନଙ୍କୁ ମଞ୍ଚରେ ଉତ୍ତରୀୟ ଓ ସମ୍ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ମହୋତ୍ସବକୁ ମା’ ଖଣ୍ଡୁଆଳି ଚାରିଟେବଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି, ଟ୍ରଷ୍ଟି, ଗ୍ରାମର ବୟୋଜ୍ୟେଷ୍ଠ ନାଗରିକ ତଥା ମହୋତ୍ସବ କମିଟିର ଉପଦେଷ୍ଟାଙ୍କ ସମେତ ଟ୍ରଷ୍ଟର ସଦସ୍ୟ ଓ ଗ୍ରାମବାସୀମାନେ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ମହୋତ୍ସବ ମାଧ୍ୟମରେ ଧାର୍ମିକ ଭାବଧାରା ସହିତ ଓଡ଼ିଶାର କଳା, ସଂସ୍କୃତି ଓ ଲୋକକଳାର ପ୍ରଚାର ପ୍ରସାର ସହ ସାମାଜିକ ଏକତା ଓ ଭାଇଚାରାର ଏକ ସୁନ୍ଦର ବାର୍ତ୍ତା ପ୍ରସାରିତ ହୋଇଥିଲା।
ଜୟ ମା’ ଖଣ୍ଡୁଆଳି।
