କିଟ୍ରେ ଜାପାନ ଫିଲ୍ମ ଫେଷ୍ଟିଭଲ୍ ଉଦ୍ଘାଟିତ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଟ୍ ପରିସରରେ ଆଜିଠାରୁ ଆରମ୍ଭ ହୋଇଛି ଜାପାନ ଚଳଚ୍ଚିତ୍ର ମହୋତ୍ସବ। ଦ୍ୱିତୀୟ ଥର ପାଇଁ ଏହି ଜାପାନ ଚଳଚ୍ଚିତ୍ର ମହୋତ୍ସବ କିଟ୍ ପରିସରରେ ଅନୁଷ୍ଠିତ ହେଉଛି। କୋଲକାତାସ୍ଥିତ ଜାପାନ କନ୍ସୁଲେଟ୍, ଜାପାନ ଫାଉଣ୍ଡେସନ୍ ଓ ଫେଡେରେସନ୍ ଅଫ୍ ଫିଲ୍ମ ସୋସାଇଟିଜ୍ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ସହଯୋଗରେ ଏହି ଚଳଚ୍ଚିତ୍ର ମହୋତ୍ସବ ଉଦ୍ଘାଟିତ ହୋଇଛି। ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ଆଜି କୋଲକାତାସ୍ଥିତ ଜାପାନ କନସୁଲ୍ ଜେନେରାଲ୍ ଇଶିକା ୟୋଶିହିସା, ମିତ୍ସୁବିସି କର୍ପୋରେସନ୍ ଇଣ୍ଡିଆ କୋଲକାତା ଶାଖାର ମୁଖ୍ୟ ହିମାଂଶୁ ଆଚାର୍ଯ୍ୟ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବଶିଷ ବନ୍ଦୋପାଧ୍ୟାୟ, କିଟ୍ ଫିଲ୍ମ, ଫେସନ ଓ ଗଣ ଯୋଗାଯୋଗ ସ୍କୁଲ୍ ମହାନିର୍ଦ୍ଦେଶକ ହିମାଂଶୁ ଖଟୁଆ ଓ କିଟ୍ ଅନ୍ତର୍ଜାତୀୟ ବ୍ୟାପାର ବିଭାଗ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିଲା।
ଏହି ଅବସରରେ ବକ୍ତବ୍ୟ ଦେଇ ଶ୍ରୀ ଇଶିକାୟୋଶିହିସା କହିଲେ, ଦ୍ୱିତୀୟ ଥର ପାଇଁ ଜାପାନ ଚଳଚ୍ଚିତ୍ର ମହୋତ୍ସବ କିଟ୍ରେ ଚାଲିବା ନିଶ୍ଚିତ ଭାବେ ଭାରତ-ଜାପାନ ସାଂସ୍କୃତିକ ସହଯୋଗକୁ ମଜଭୁତ କରିବ। ଭବିଷ୍ୟତରେ ଏହି ସହଯୋଗ ଜାରି ରହିବ ବୋଲି ସେ ଆଶା କରିଥିଲେ। ଏହି ପରିପ୍ରେକ୍ଷୀରେ ଜାପାନ ଚଳଚ୍ଚିତ୍ର ମହୋତ୍ସବକୁ ପ୍ରଚାର ପ୍ରସାର କରାଇବା ଦିଗରେ ସହଯୋଗର ହାତ ବଢ଼ାଇଥିବାରୁ ସେ କିଟ୍, କିସ୍ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଜି ଉଦ୍ଘାଟନୀ ଉତ୍ସବରେ ‘ଫାଦର ଅଫ୍ ମିଲ୍କୀ ୱେ ରେଲ୍ରୋଡ଼’ ପ୍ରଦର୍ଶନ ହୋଇଥିଲା। ଆସନ୍ତା କାଲି ‘ପ୍ରିନ୍ସେସ୍ ଆରେଟେ’ ଓ ‘ଲେଡି କାଗା’ ପ୍ରଦର୍ଶିତ ହେବାକୁ ଥିବା ବେଳେ ୨୪ ତାରିଖରେ ‘ରାଇଡ୍ ଇଓର ୱେଭ୍’ ଏବଂ ‘ଦି ଜେନ୍ ଡାଏରୀ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।