ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ନୀଳାଦ୍ରି ବିଜେ ସରିବା ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ
ପୁରୀରେ ଘଟିଥିବା ଅଘଟଣକୁ ନେଇ ଚିନ୍ତାରେ ସମସ୍ତ ଓଡିଶାବାସୀ । ରଥରୁ ଆଡ଼ପମଣ୍ଡପକୁ ପହଣ୍ଡିରେ ଯିବା ସମୟରେ ବଡ଼ଠାକୁର ତଳେ ପଡ଼ି ଯାଇଥିଲେ । ସେହିପରି ଘଟଣା ଯେମିତି ଆଉ ନଘଟିବ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦକ୍ଷେପ ନେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆସନ୍ତା କାଲିଠାରୁ ପୁରୀ ଯିବେ।ସେଠାରେ ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ତିନି ମନ୍ତ୍ରୀ ନୀଳାଦ୍ରି ବିଜେ ସରିବା ପର୍ଯ୍ୟନ୍ତ ପୁରୀରେ ଉପସ୍ଥିତ ରହିବେ। ଶ୍ରୀଗୁଣ୍ଡିଚା ଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ତାହା ନିଶ୍ଚିତ କରିବେ । ଏହାସହ ଭକ୍ତମାନଙ୍କର ଯେପରି କୌଣସି ଅସୁବିଧା ନହେବ, ସେନେଇ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପଦେଶ ଦେଇଛନ୍ତି।