ପହଣ୍ଡି ବିଜେ କରି ରଥାରୁଢ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

0

ଜୟ ଜଗନ୍ନାଥ ଧ୍ୱନିରେ ଆଜି କମ୍ପୁଛି ବଡ଼ଦାଣ୍ଡ । ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଲୋକାରଣ୍ୟ ପାଲଟିଛି ଶ୍ରୀକ୍ଷେତ୍ର । ଭକ୍ତଙ୍କୁ ଦର୍ଶନ ଦେବାକୁ ଆସୁଛନ୍ତି ମହାବାହୁ । ବଡ଼ଦାଣ୍ଡରେ ଘଡ଼ ଘଡ଼ ହୋଇ ଜନ୍ମବେଦିକୁ ଗଡ଼ିଯିବେ ନଟିଆ ଠାକୁର ନଟବର। ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ । ପଥ ବି ତା ଛାତି ଉପରେ ରଥକୁ ଗଡ଼ାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି।

ଧାଡ଼ି ପହଣ୍ଡିରେ ରଥ ଉପରକୁ ଛୁଟି ଆସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଛନ୍ତି ଶ୍ରୀଜିଉ ।

ଧାଡି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି କରି ଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଛନ୍ତି ବଡଠାକୁର ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା, ସର୍ବଶେଷରେ ଟାହିଆ ଦୋହଲାଇ ଆସୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ରଥକୁ ସବୁଠାରୁ ବିଳମ୍ବରେ ଆସନ୍ତି ମହାପ୍ରଭୁ । ନାଚି ନାଚି ଦୋହଲି ଦୋହଲି ଆସନ୍ତି ନଟିଆ ଠାକୁର। ସେ ପରା ବଡ଼ ଠାକୁର, ତାଙ୍କୁ ଦେଖିବା ପାଇଁ କୋଟି କୋଟି ନେତ୍ର ଅପେକ୍ଷାରତ। ଭକ୍ତରଙ୍କୁ ଦର୍ଶନ ଦେବା ପାଇଁ ଦେଉଳ ବାହାରକୁ ଦୋହଲି ଦୋହଲି ଆସି ସାରିଛନ୍ତି ମହାବାହୁ।

ଅନ୍ୟପକ୍ଷରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା । କାରଣ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ । ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି ।

Leave a comment