ଇସ୍ତଫା ଦେଲେ ନବୀନଙ୍କ ୩ ପରାମର୍ଶଦାତା
ବିଜେଡିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଏହା ପରେ ତାଙ୍କର ତିନି ଜଣ ପରାମର୍ଶଦାତା ଅବସରପ୍ରାପ୍ତ ଆଇଏଏସ ଆର ବାଲକ୍ରିଷ୍ଣନ, ସୁରେଶ ଚନ୍ଦ୍ର ମହାପାତ୍ର ଓ ଉପେନ୍ଦ୍ର ତ୍ରିପାଠୀ ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏଥିରୁ ଦୁଇ ଜଣଙ୍କ ଇସ୍ତଫା ଗୃହୀତ ହୋଇଛି।
ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ଵପୂର୍ଣ୍ଣ ବିଭାଗ ସମ୍ଭାଳିବାପରେ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ହୋଇଥିଲେ। ମୁଖ୍ୟ ସଚିବ କାର୍ଯ୍ୟକାଳ ସରିବା ପରେ ତାଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରାଯାଇଥିଲା। ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା। ସେହିପରି ବାଲକ୍ରିଷ୍ଣନ ପୂର୍ବରୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଥିଲେ। ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା।
ଏହିପରି ତ୍ରିପୁରାର ମୁଖ୍ୟ ଶାସନ ସଚିବ ଥିଲେ ଓଡ଼ିଆ ଆଇଏଏସ ଉପେନ୍ଦ୍ର ତ୍ରିପାଠୀ। ମାଣିକ ସରକାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ଭାଳିଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ ପାଇଥିଲେ। ବିଜେଡି ସରକାର ପତନ ପରେ ଏହି ତିନି ଜଣ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ବିଜେଡି ୫୧ ସିଟ୍ ଜିତି ପରାଜିତ ହୋଇଛି। ଏଥିସହ ଦୀର୍ଘ ୨୪ ବର୍ଷର ବିଜୁ ଜନତା ଦଳ ସରକାରର ପତନ ଘଟିଛି। ବିଜେପି ୭୮ ଆସନ ସହ ପ୍ରଥମ ଥର ସରକାର ଗଢିବାକୁ ଯାଉଛି। କଂଗ୍ରେସକୁ ୧୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।