ଧର୍ମାନ୍ତରୀକରଣ ମାମଲାରେ ଆଉ ୩ ଜଣଙ୍କୁ ଗିରଫ କଲା ଏଟିଏସ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶରେ ଧର୍ମାନ୍ତରୀକରଣ ଚେର ଲମ୍ବିବାରେ ଲାଗିଛି । ମୁଖ୍ୟ ଅଭିଯୁକ୍ତ ଉମର ଗୌତମ ଏବଂ ଜାହାଙ୍ଗିର ଗିରଫ ହେବାପରେ ଧିରେ ଧିରେ ଘଟଣାର ପର୍ଦ୍ଦାଫାସ୍ ହେବାରେ ଲାଗିଛି । ସୋମବାର ଘଟଣାରେ ସଂପୃକ୍ତ ଆଉ ୩ ଜଣଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ଏଟିଏସ୍ । ପୂର୍ବରୁ ଧର୍ମାନ୍ତରୀକରଣ ମାମଲାରେ ଗିରଫ ହୋଇଛନ୍ତି ଉମର ଗୌତମ ଏବଂ ତାର ସହଯୋଗୀ ଜାହାଙ୍ଗୀର । ଆଜି ରାହୁଲ ଭୋଲା, ମନ୍ନୁ ଏବଂ ଇରଫାନ ଖାନକୁ ଗିରଫ କରିଛି ଉତ୍ତର ପ୍ରଦେଶ ଏଟିଏସ୍ ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ୟୁପି ଏଟିଏସ୍ ଟିମ ଧର୍ମାନ୍ତରଣ କରୁଥିବା ଗ୍ୟାଙ୍ଗ୍ର ପର୍ଦ୍ଦାଫାସ କରିଥିଲା । ଦିଲ୍ଲୀର ଜାମିୟା ନଗରରୁ ମୁଫତୀ କାଜୀ ଜାହାଙ୍ଗୀର ଆଲମ ଏବଂ ମହମ୍ମଦ ଉମର ଗୌତମକୁ ଗିରଫ କରିଥିଲା ଏଟିଏସ୍ । ଏମାନେ ସମସ୍ତେ ମୂକ, ବଧିର ଛାତ୍ରଛାତ୍ରୀ ତଥା ଗରିବ ଓ ଅସହାୟ ଲୋକମାନଙ୍କୁ ଟଙ୍କା, ଚାକିରି, ବିବାହ ଭଳି ପ୍ରଲୋଭନ ଦେଖାଇ ମୁସଲିମ ଧର୍ମରେ ପରିବର୍ତ୍ତନ କରାଉଥିଲେ ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଉମର କାଜୀ ପ୍ରଥମେ ହିନ୍ଦୁ ଥିଲା । ପରେ ସେ ବିଭିନ୍ନ ପ୍ରଲୋଭନରେ ବଶବର୍ତ୍ତୀ ହୋଇ ମୁସଲିମ ଧର୍ମ ଗ୍ରହଣ କରିବା ସହିତ ଧର୍ମାନ୍ତରୀକରଣ ଗ୍ୟାଙ୍ଗ୍ରେ ସାମିଲ ହୋଇ ଲୋକମାନଙ୍କ ଧର୍ମ ପରିବର୍ତ୍ତନ କରାଉଥିଲା । ସେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ଧର୍ମ ପରିବର୍ତ୍ତନ କରାଇସାରିଥିବା ପୋଲିସ ପଚରାଉଚରା ବେଳେ କହିଛି । ତେବେ ଏହି ଗ୍ୟାଙ୍ଗ ସହିତ ଆହୁରି ଅନେକ ଅଭିଯୁକ୍ତ ଜଡିତ ଅଛନ୍ତି । ତେବେ ସମସ୍ତଙ୍କୁ ଗିରଫ କରିବାକୁ ଅଭିଯାନ ଜାରି ରଖିଛି ଉତ୍ତର ପ୍ରଦେଶ ଏଟିଏସ୍ ।