୧୪୭ ହସ୍ପିଟାଲକୁ ୫-ଟି ଢାଞ୍ଚାରେ ରୂପାନ୍ତରିତ କରାଯିବ : ସ୍ୱାସ୍ଥ୍ୟ ମନ୍ତ୍ରୀ

0

ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ସଂପ୍ରସାରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୧୪୭ ହସ୍ପିଟାଲକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ସାମିଲ୍ ପାଇଁ ଚିହ୍ନଟ କରାଯାଇଛି। ଏହି ହସ୍ପିଟାଲ ଗୁଡ଼ିକୁ ୫-ଟି ଢାଞ୍ଚାରେ ରୂପାନ୍ତରିତ କରାଯିବ ।

ସବୁ ଜିଲ୍ଲାରେ ଅଧିକ ସଂଖ୍ୟକ ରୋଗୀ ଆସୁଥିବା ହସ୍ପିଟାଲଗୁଡ଼ିକୁ ମୁଖ୍ୟତଃ ଏଥିରେ ସାମିଲ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ତେବେ ସମୟାନୁସାରେ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାୱାରୀ ହସ୍ପିଟାଲଗୁଡ଼ିକୁ ଚିହ୍ନଟ କରାଯାଇ ରୂପାନ୍ତରଣ ନିମନ୍ତେ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆବଶ୍ୟକ ପଡୁଥିବା ନିର୍ମାଣ କାର୍ଯ୍ୟ ଏବଂ ଯନ୍ତ୍ରପାତି କ୍ରୟ ନିମନ୍ତେ ପ୍ରଶାସନିକ ଅନୁମୋଦନ କାର୍ଯ୍ୟ ତ୍ଵରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ହସ୍ତାନ୍ତର କରାଯାଇଛି ।

ଏଥିପାଇଁ ଆବଶ୍ୟକୀୟ ଅର୍ଥ ରାଜ୍ୟ ବଜେଟ୍ ଏବଂ ଡ଼ି.ଏମ୍.ଏଫ୍, ପାଣ୍ଠିରୁ ଯୋଗାଇ ଦିଆଯିବ। ହସ୍ପିଟାଲ୍ ରୂପାନ୍ତରଣ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି କରାଯାଇଛି । ଏଷ୍ଟିମେଟ୍ ପ୍ରସ୍ତୁତି, ଅନୁମୋଦନ ଏବଂ କାର୍ଯ୍ୟାନ୍ବୟନ ସଂସ୍ଥା ଚୟନ ଆଦି ନିମନ୍ତେ ମଧ୍ୟ ଜିଲ୍ଲାସ୍ତରୀୟ କମିଟିକୁ କ୍ଷମତା ପ୍ରଦାନ କରାଯାଇଛି । ଜିଲ୍ଲା ପୁଲିସ୍ ଅଧିକ୍ଷକ, ସଂପୃକ୍ତ ସହରାଞ୍ଚଳ କମିଶନର ବା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଜନ ସ୍ୱାସ୍ଥ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପାନୀୟଜଳ ଯୋଗାଣ ଯନ୍ତ୍ରୀ ସଂପୃକ୍ତ ବି.ଡ଼ି.ଓ., ମେଡ଼ିକାଲ୍ ଅଫିସର, ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳକ ଆଦି ଅଧିକାରୀଙ୍କୁ ଏହି କମିଟିର ସଦସ୍ୟଭାବେ ସାମିଲ କରାଯାଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲାସ୍ତରୀୟ କମିଟିର ଆବାହକ ଦାୟିତ୍ଵ ସଂପାଦନ କରିବେ । ଏହି ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାମ ଚଳିତ ବର୍ଷ ଅକ୍ଟୋବର ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଚିକିତ୍ସାଳୟ ଏବଂ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ୫ଟି ରୁପାନ୍ତର ଯୋଜନାରେ ରହିବ। ରାଜ୍ୟର ୮ଟି ସହରାଞ୍ଚଳରେ ନୂଆ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯାଜପୁର ଜିଲ୍ଲାର ଯାଜପୁର, ବ୍ୟାସନଗର, ମୟୁରଭଞ୍ଜର ରାଇରଙ୍ଗପୁର, ମାଲକାନଗିରି, ବାଲେଶ୍ବରର ସୋର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୁଳର ତାଳଚେର ଏବଂ କଟକର ଝୋଲା ସାହିରେ ୮ଟି ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟର ରୋଗୀଙ୍କ ସେବା ପାଇଁ ନୂତନ ଭାବେ ପତିଷ୍ଠା କରାଯିବ।

Leave a comment