ମଙ୍ଗଳ ଗ୍ରହରେ ନାସା ହେଲିକପ୍ଟରର ତୃତୀୟ ଉଡ଼ାଣ ସଫଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟର ତୃତୀୟ ଥର ପାଇଁ ସେଠାରେ ଉଡ଼ାଣ କରିଛି। ଏହି କ୍ଷୁଦ୍ର ହେଲିକପ୍ଟର ‘ଇନଜେନ୍ୟୁଇଟି’ ପୂର୍ବାପେକ୍ଷା ଦ୍ରୁତଗତିରେ ଉଡ଼ାଣ କରିବା ସହ ଅଧିକ ଦୂର ଅତିକ୍ରମ କରିଛି। ଏହା ସେକେଣ୍ଡ ପିଛା ୬.୬ ଫୁଟ୍ ଦୂରତା ଅତିକ୍ରମ କରିଥିଲା। ପ୍ରଥମ ଦୁଇଥର ଉଡ଼ାଣ ସମୟରେ ଏହି ହେଲିକପ୍ଟର ମଙ୍ଗଳ ଗ୍ରହର ପୃଷ୍ଠଭାଗ ଉପରେ ଅଳ୍ପ ସମୟ ଉଡ଼ାଣ କରିଥିଲା। ଚଳିତ ଥର ଏହା ୫୦ ମିଟର ଦୂରତା ପର୍ଯ୍ୟନ୍ତ ଯାଇଥିଲା ଏବଂ ଏହାର ବେଗ ସେକେଣ୍ଡ ପିଛା ୬.୬ ଫୁଟ୍ ବା ଘଣ୍ଟା ପ୍ରତି ୪ ମାଇଲ୍ ରହିଥିଲା।
ଇନଜେନ୍ୟୁଇଟି ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଡାଭେ ଲାଭେରି ଏହାର ସଫଳତା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ସମସ୍ତଙ୍କୁ ବିସ୍ମିତ କରିଛି। ହେଲିକପ୍ଟର ଉଡ଼ାଣ କରିବା ପରେ ସୁରୁଖୁରୁରେ ମଙ୍ଗଳ ପୃଷ୍ଠରେ ଅବତରଣ କରିଛି। ଏହାର ପରୀକ୍ଷା ନିରୀକ୍ଷା ମାସକ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏହାପରେ ମଙ୍ଗଳ ପୃଷ୍ଠରେ ପ୍ରିଜରଭାନ୍ସ ତା’ର ମୁଖ୍ୟ ଦାୟିତ୍ୱ ଅଣୁଜୀବର ସନ୍ଧାନ ଆରମ୍ଭ କରିବ।
ଉଲ୍ଲେଖଯୋଗ୍ୟ, ମଙ୍ଗଳ ଗ୍ରହକୁ ପଠାଯାଇଥିବା ପ୍ରିଜରଭାନ୍ସ ରୋଭର୍ ସହିତ ଏହି ୧୮ କିଲୋଗ୍ରାମ୍ ଓଜନ ବିଶିଷ୍ଟ ରୋଟର୍କ୍ରାଫ୍ଟକୁ ପଠାଯାଇଥିଲା। ନାସା ପକ୍ଷରୁ କୁହାଯାଇଛି ଯେ ଏହି ହେଲିକପ୍ଟର ଉତ୍ତୋଳନ କରିଥିବା ଭିଡିଓ ଚିତ୍ର ଆଗାମୀ ଦିନରେ ଭୂପୃଷ୍ଠକୁ ପଠାଯିବ।

Leave a comment