ବାର୍କରେ ସ୍ଥାନ ପାଇଲେ ତିନି ଓଡ଼ିଆ ବୈଜ୍ଞାନିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁମ୍ବାଇସ୍ଥିତ ଦେଶର ପ୍ରତିଷ୍ଠିତ ଆଣବିକ ଗବେଷଣା କେନ୍ଦ୍ର ‘ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର’(ବାର୍କ)ରେ ଚଳିତବର୍ଷ ଚାକିରି ପାଇବାକୁ ୩ ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ସେମାନେ ହେଲେ ସୁନ୍ଦରଗଡ଼ର କୃଷ୍ଣଚନ୍ଦ୍ର ଦାସ, କେନ୍ଦୁଝରର ଚନ୍ଦନ କୁମାର ମହାପାତ୍ର ଏବଂ ଗଞ୍ଜାମ ଜିଲ୍ଲାର ବେବର୍ତା ଓମ୍ ଶୁଭମ।
ଚଳିତବର୍ଷ ସାରାଦେଶରୁ ମାତ୍ର ୨୦ଜଣ ବାର୍କରେ ବୈଜ୍ଞାନିକ(ଟ୍ରେନିଂ) ଭାବେ ସ୍ଥାୟୀ ଚାକିରି ପାଇଛନ୍ତି। ଏଥିମଧ୍ୟରେ ୩ଜଣ ଓଡ଼ିଆ ରହିବା ରାଜ୍ୟପାଇଁ ଗୌରବ ଆଣିଦେଇଛି। ସୁନ୍ଦରଗଡ଼ର କୃଷ୍ଣଚନ୍ଦ୍ର ଭୁତତ୍ତ୍ୱ ବିଜ୍ଞାନରେ ସ୍ନାତ୍ତୋକତର ଶିକ୍ଷା ହାସଲ କରିଥିବାବେଳେ ବାର୍କରେ ଗବେଷଣା ପାଇଁ ଚୟନ ହେବା ତାଙ୍କର ସ୍ୱପ୍ନ ରହିଥିଲା। ସେ ଜଣେ ମେଧାବୀ ଛାତ୍ର ହୋଇଥିଲେହଁ ଅର୍ଥାଭାବରୁ ବେଶ୍ ଦୁର୍ଦ୍ଦିନରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଏମ୍ଏସସି କରିବା ବେଳେ ହିଁ ତାଙ୍କ ବାପାଙ୍କର ନିଧନ ହୋଇଥିଲା। ଷ୍ଟାଇପେଣ୍ଡ୍ ଟଙ୍କାରେ ସେ ପାଠ ପଢ଼ିଥିବା ତାଙ୍କ ମା’ ଜଣାଇଛନ୍ତି। ବାର୍କରେ ସ୍ଥାନ ପାଇବାର କୃତିତ୍ୱ ହାସଲ କରିବା ପରେ କୃଷ୍ଣ ଏଥିପାଇଁ ନିଜ ମା’ ଏବଂ ସାଙ୍ଗସାଥୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସେହିଭଳି କେନ୍ଦୁଝର ମେଡ଼ିକାଲ କଲୋନୀରେ ରହୁଥିବା ଚନ୍ଦନ ପିଲାବେଳୁ ହିଁ ଜଣେ ମେଧାବୀ ଛାତ୍ର। ସେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଡିଡି କଲେଜର ଛାତ୍ର। ପରେ ସେ ଏନଆଇଟି ରାଉରକେଲାରୁ ଏକ୍ସପ୍ଲୋରେସନ୍ ଜିଓଲୋଜିରେ ଏମଏସସି ଏବଂ ଆଇଆଇଟି ଖଡ଼ଗପୁରରୁ ଏମଟେକ୍ କରିଛନ୍ତି। ବର୍ତ୍ତମାନେ ସେ ନିଜର ପିଏଚ୍ଡି କରୁଛନ୍ତି।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ କଳାଷଣ୍ଢପୁର ଗାଁର ଓମ୍, ବିର୍ଲା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ ସେ ଆଇଆଇଟି ଦିଲ୍ଲୀରେ ଏମ୍ଟେକ କରୁଛନ୍ତି। ଏହି ଅବସରରେ ସେ ନିଜର ଖୁସିବ୍ୟକ୍ତ କରିବା ସହ ଜୀବନର ଲକ୍ଷ୍ୟ ଉପରେ ଧ୍ୟାନଦେଇ ସାଧନା କଲେ ତାହା ନିଶ୍ଚିତ ହାସଲ ହୋଇଥାଏ ବୋଲି କହିଛନ୍ତି।

Leave a comment