ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ
ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ। ପରବର୍ତ୍ତି ଦୁଇ ଦିନରେ ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ର ପ୍ରଦେଶ ମୁହାଁ ହେବ । ଏହା ପ୍ରଭାବର ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ଆଜି ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବର୍ଷା ସମୟରେ ତଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ପାହାଡି ଅଞ୍ଚଳରେ ଭୂସ୍ଖଳନ, ସହରାଞ୍ଚଳରେ କୁତ୍ରିମ ବନ୍ୟା, କଚ୍ଚା ରାସ୍ତା ଘର ଭାଙ୍ଗିବା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର।
ସେହିଭଳି ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାରେ ବର୍ଷା ଲାଗିରହିବ। ବର୍ଷା ସମୟରେ ଘଣ୍ଟାପ୍ରତି ୩୫ ରୁ ୪୫ କିଲୋମିଟର ବେଗରେ ପବନ ବହିବ।
ଝଟକା ପବନର ବେଗ ଘଣ୍ଟାପ୍ରତି ୫୫ କିମି ହୋଇପାରେ। ଏହାରି ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର। ୩୦ ଓ ୩୧ ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି।