ଗ୍ରେଟା ଟୁନ୍‌ବେରି ‘ଟୁଲ୍‌କିଟ୍‌’ ମାମଲା: ବେଙ୍ଗାଲୁରୁରୁ ୨୧ ବର୍ଷୀୟ ଜଳବାୟୁ ସଂକ୍ରାନ୍ତ ସାମାଜିକର୍ମୀଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗ୍ରେଟା ଟୁନ୍‌ବେରି ‘ଟୁଲ୍‌କିଟ୍‌’ ମାମଲାରେ ବେଙ୍ଗାଲୁରୁରୁ ଜଣେ ୨୧ ବର୍ଷୀୟ ଜଳବାୟୁ ସଂକ୍ରାନ୍ତ ସାମାଜିକର୍ମୀଙ୍କୁ ଆଜି ଦିଲ୍ଲୀ ପୁଲିସର ଏକ ସ୍ପେସାଲ୍‌ ସେଲ୍‌ ଗିରଫ କରିଛି। ସେ ଏହି ‘ଟୁଲ୍‌କିଟ୍‌’କୁ ସମ୍ପାଦନା କରି ପଠାଇଥିଲେ ବୋଲି ପୁଲିସ ଦାବି କରିଛି। ଦିଲ୍ଲୀରେ ଚାଲିଥିବା କୃଷମାନଙ୍କ ପ୍ରତିବାଦ ସମ୍ବନ୍ଧୀୟ ‘ଟୁଲ୍‌କିଟ୍‌’ ଅପ୍‌ଲୋଡ୍‌ କରିଥିବା ସ୍ରଷ୍ଟାଙ୍କ ‘ଆଇପି ଆଡ୍ରେସ୍‌’ ଚିହ୍ନଟ କରିବା ଲାଗି ଦିଲ୍ଲୀ ପୁଲିସ ‘ଗୁଗଲ୍‌’ର ସାହାଯ୍ୟ ଲୋଡ଼ିଥିଲା।
ଏହି ‘ଟୁଲ୍‌କିଟ୍‌’ର ‘ଆଇପି ଆଡ୍ରେସ୍‌’ କିଂବା ଏହା କେଉଁ ଅଞ୍ଚଳରୁ ତିଆରି ହୋଇ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ଅପ୍‌ଲୋଡ୍‌ କରାଯାଇଛି, ତା’ର ସନ୍ଧାନ ପାଇବା ଲାଗି ଦିଲ୍ଲୀ ପୁଲିସ ‘ଗୁଗଲ୍‌’କୁ ଚିଠି ଲେଖିଥିଲା।
କିଶୋରୀ ସ୍ୱିଡେନୀୟ ଜଳବାୟୁ ଓ ପରିବେଶ କର୍ମୀ ଏହି ‘ଟୁଲ୍‌କିଟ୍‌’କୁ ଟ୍ଵିଟର୍‌ରେ ସେୟାର୍‌ କରିଥିଲେ। ତାଙ୍କର ଟୁଇଟ୍‌ ଉପରେ ରିହାନ୍ନାଙ୍କ ଭଳି ଆନ୍ତର୍ଜାତିକ ସେଲିବ୍ରିଟି ଏବଂ ସାମାଜିକକର୍ମୀମାନେ ପ୍ରତିକ୍ରିୟା ଦେବା ସହ କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲେ।

ଗୁରୁବାର ଦିନ ରିପୋର୍ଟ କରାଯାଇଥିଲା ଯେ, କୃଷକମାନଙ୍କ ପ୍ରତିବାଦ ସମ୍ବନ୍ଧରେ କରିଥିବା ଟୁଇଟ୍‌ ଯୋଗୁଁ ଦିଲ୍ଲୀ ପୁଲିସ ଟୁନ୍‌ବେରିଙ୍କ ନାମରେ ଏତଲା ଦାଏର କରିଥିଲା।

Leave a comment